୧୧ ରନରେ ଆଫଗାନିସ୍ତାନକୁ ପଛରେ ପକାଇଲା ଭାରତ

ସାଉଥମ୍ପଟନ୍‌: ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି। ଅନ୍ତିମ ଓଭରରେ ମହମ୍ମଦ ସାମିଙ୍କୁ ଘାତକ ବୋଲି ଯୋଗୁଁ ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୨୮ତମ ମ୍ୟାଚ୍‌କୁ ଭାରତ ୧୧ ରନ୍‌ରେ ଜିତିଛି। ମହମ୍ମଦ ସାମି ୯.୫ ଓଭର ବୋଲି କରି ୪୦ ରନ୍‌ ଦେଇଛନ୍ତି। ଏଥି ସହିତ ସାମି ନିଜର ଶେଷ ଓଭରରେ ହ୍ୟାଟ୍ରିକ୍‌ ଓ୍ଵିକେଟ୍‌ ନେଇଛନ୍ତି। ସେ ଗୋଟିଏ ମେଡେନ ନେଇ ୪ଟି ଓ୍ଵିକେଟ ନେଇଛନ୍ତି। ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୩ ରନ୍‌ କରିଛି।

ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍‌ ନିଜର ଓପନ୍‌ର ଦ୍ୱୟଙ୍କୁ ୬୪ ରନ୍‌ରେ ହରାଇଥିଲା। ପ୍ରଥମ ଓ୍ଵିକେଟ ଭାବେ ୨୦ ରନ୍‌ରେ ହଜରତୁଲ୍ଲାଙ୍କୁ ମହମ୍ମଦ ସାମି ଆଉଟ୍‌ କରିଥିଲେ। ପାଣ୍ଡ୍ୟାଙ୍କ ଦ୍ୱାରା ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାଇବ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଆଫଗାନିସ୍ତାନ ସ୍କୋର ୧୦୬ ରନ୍‌ରେ ୩ୟ ଓ ୪ର୍ଥ ଓ୍ଵିକେଟ ହରାଇଥିବା ବେଳେ ଭାରତର ବୋଲର ୟୁଜବେନ୍ଦ୍ର ଚହଲ ପଂଚମ ଓ୍ଵିକେଟ ନେଇଥିଲେ।

ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ଶନିବାର ଆଫଗାନିସ୍ତାନ ବିପକ୍ଷରେ ୨୨୪ ରନ୍‌ କରିଥିଲା। ଭାରତର ଇନିଂସରେ କେଦାର ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେଦାର ୬୮ଟି ବଲ ଖେଳି ୫୨ ରନ୍‌ କରିଥିଲେ। ସେ ଦୀର୍ଘ ସମୟ ଯାଏଁ କ୍ରିଜରେ ରହିଥିବାରୁ ଭାରତ ଯଦିଓ ବିଶାଳ ସ୍କୋର କରିପାରି ନାହିଁ, ତଥାପି ସମ୍ମାନଜନକ ସ୍କୋର କରିପାରିଥିଲା।

ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଉଥମ୍ପଟନ୍‌ସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମ୍‌ରେ ଭାରତ ଆରମ୍ଭରୁ ଧୀମା ଗତିରେ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୨୪ ରନ୍‌ କରିଥିଲା।