ପଶ୍ଚିମବଙ୍ଗର ୩ ଓ ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ପାଇଁ ମତଦାନ ଜାରି

କୋଲକାତା/ନୂଆଦିଲ୍ଲୀ, ନଭେମ୍ବର ୨୫ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ୩ଟି ଓ ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ପାଇଁ ସୋମବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫୫ଟା ଯାଏଁ ଜାରି ରହିବ । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଥିବା ବେଳେ ସମ୍ବେଦନଶୀଳ ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ଉତ୍ତରାଖଣ୍ଡର ପିଥୋରାଗଡ଼ ଓ ପଶ୍ଚିମବଙ୍ଗର କାଳିଆଗଂଜ (ଅନୁସୂଚିତ ଜାତି), କରିମପୁର ଓ ଖଡ଼ଗପୁର ସଦର ଆସନରେ ମତଦାନ ଜାରି ରହିଛି ।

ସପ୍ତଦଶ ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି । ଗତ ଥର ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୪୨ରୁ ୧୮ଟି ଆସନରେ ବିଜୟୀ ହୋଇଥିଲା । ଆଜିର ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେଉଥିବା ଜଣାପଡ଼ିଛି । ଭୋଟ ଗଣତି ନଭେମ୍ବର ୨୮ରେ ହେବ ।