ପାଣିର ଶୁଦ୍ଧତା ରାଙ୍କିଙ୍ଗ; ସବୁଠୁ ଉପରେ ମୁମ୍ୱାଇ, ତୃତୀୟରେ ଭୁବନେଶ୍ୱର

ନୂଆଦିଲ୍ଲୀ :ଦିଲ୍ଲୀର ବାୟୁ ହିଁ ନୁହେଁ ପାଣି ମଧ୍ୟ ବିଷାକ୍ତ । କେନ୍ଦ୍ର ସରକାର ସାରା ଦେଶର ୨୧ଟି ସହରର ପାଣିର ନମୁନାର ଯାଞ୍ଚ ପରେ କହିଛନ୍ତି, ମୁମ୍ୱାଇର ପାଣି ସର୍ବୋତ୍ତମ ଏବଂ ଦିଲ୍ଲୀର ପାଣି ସବୁଠାରୁ ଖରାପ । କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାସୱାନ ଆଜି ପାଣିର ମାନ ଆଧାରରେ ଦେଶର ୨୧ଟି ସହରର ଲିଷ୍ଟ ଜାରି କରିଛନ୍ତି । 

ଏହି ସୂଚୀରେ ପ୍ରଥମ ପାଞ୍ଚଟି ସ୍ଥାନରେ ମୁମ୍ୱାଇ, ହାଇଦ୍ରାବାଦ, ଭୁବନେଶ୍ୱର, ରାଞ୍ଚି ଏବଂ ରାୟପୁର ରହିଛି । ସେହିପରି ଅନ୍ୟ ସ୍ଥାନରେ ଅମରାବତୀ, ଶିମଲା, ଚଣ୍ଡୀଗଡ, ତ୍ରିବେଦ୍ରମ, ପଟନା, ଭୋପାଲ, ଗୁଆହାଟୀ, ବେଙ୍ଗାଲୁରୁ, ଗାନ୍ଧୀନଗର, ଲକ୍ଷ୍ନୌ, ଜମ୍ମୁ, ଜୟପୁର, ଚେନ୍ନାଇ, କୋଲକାତା ଏବଂ ଦିଲ୍ଲୀର ରହିଛି । 

କେନ୍ଦ୍ର ସରକାର ବ୍ୟୁର ଅଫ ଇଣ୍ଡିଆନ ଷ୍ଟଣ୍ଡାର୍ଡସ (ବିଆଇଏସ)ରୁ ସାରା ଦେଶର ବିଭିନ୍ନ ସହରରେ ପାଣିର ନମୁନା ଏକାଠି କରି ତାହାର ମାନ ଯାଞ୍ଚ ଅନୁରୁପ ସହରର ରାଙ୍କିଙ୍ଗ ଜାରି କରିବାକୁ ଦାୟିତ୍ୱ ହେଇଥିଲେ । କେନ୍ଦ୍ରମନ୍ତ୍ରୀ ଆଜି ପାଣିର ମାନର ଯାଞ୍ଚର ରିପୋର୍ଟ ଏବଂ ରାଙ୍କିଙ୍ଗ ଜାରି କରିବା ପରେ ସାମ୍ୱାଦିକ ସମ୍ମଳନୀ କରି ସୂଚନା ଦେଇଥିଲେ ଯେ ପାଣିର ନମୁନାର ଯାଞ୍ଚ ୧୦ଟି ମାନକ ଉପରେ କରାଯାଇଛି ।