ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ଆରମ୍ଭ ହେଲା “ୱାଟର ବେଲ୍”

ସ୍କୁଲରେ ଦିନକୁ ୩ ଥର ବାଜିବ ଘଣ୍ଟି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ଆଜି ଠାରୁ ଆରମ୍ଭ ହୋଇଛି- ପାଣି ପିଅନ୍ତୁ, ସୁସ୍ଥ ରହନ୍ତୁ’ ଅଭିଯାନ। ଆଜି ଠାରୁ ସ୍କୁଲରେ ଦିନକୁ ୩ ଥର ବାଜିବ “ୱାଟର ବେଲ୍” ଓରଫ୍ ‘ପାଣି ଘଣ୍ଟି’ ଓ ଛାତ୍ରଛାତ୍ରୀମାନେ ପାଣି ପିଇବେ। ବ୍ରହ୍ମପୁରର ଗିରି ରୋଡସ୍ଥିତ ଭିଭି ଗିରି ବାଲିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଜିଲ୍ଲାପାଳ ବିଜୟ ଅମୃ୍ତା କୁଲାଙ୍ଗେ ଏହି ବ୍ୟବସ୍ଥାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିସନର ବିକ୍ରମ ସିଂ ରାଠୋର, ଗଞ୍ଜାମ ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରେୟ ଭାନୁପ୍ରତାପ, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ବଣ୍ଟନ କରିବା ସହ ପାଣି ପିଇବାର ଉପକାରିତା ସଂପର୍କରେ ବୁଝାଇଥିଲେ।

ମଣିଷ ଶରୀରରେ ୬୦ପ୍ରତିଶତ ଜଳ ରହିଥିବା ବେଳେ ରକ୍ତରେ ଜଳର ପରିମାଣ ୯୦ପ୍ରତିଶତ ରହିଥାଏ। ଠିକ୍ ସମୟରେ ଠିକ୍ ପରିମାଣରେ ପାଣି ପିଇବା ଦ୍ବାରା ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ। ଏବେ ପାଣିର ଗୁରୁତ୍ବକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ  ଏଇ  ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।  ସ୍କୁଲରେ କିଭଳି ପିଲାମାନେ ଠିକ୍ ସମୟରେ ପାଣି ପିଇବେ, ସେ ନେଇ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି।