ବିଚ୍ଛିନ୍ନାଞ୍ଚଳବାସୀକୁ ପ୍ରଥମ କରି ଚାଲିଲା ୱାଟର ଆମ୍ବୁଲାନ୍ସ

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଅନେକ ବର୍ଷ ପରେ ବିକାଶର ସ୍ଵାଦ ଚାଖିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳବାସୀ । ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସ୍ବାସ୍ଥ୍ୟ ସେବା ସମସ୍ୟାର ସମାଧାନ ପାଇଁ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ଯାତ୍ରା ଆରମ୍ଭ କରିଛି ୱାଟର ଆମ୍ବୁଲାନ୍ସ ।

ପାଣି ଘେରରେ ଥିବା ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ବାସ କରୁଥିବା ହଜାର ହଜାର ଆଦିବାସୀଙ୍କୁ ପ୍ରଥମ କରି ଆଜି ସରକାର ଯୋଗାଇଛନ୍ତି ୧୦୮ ୱାଟର ଆମ୍ବୁଲାନ୍ସ । ପ୍ରତିଦିନ ଏହି ଉନ୍ନତ ମାନର ୧୦୮ ୱାଟର ଆମ୍ବୁଲାନ୍ସଟି ଚିତ୍ରକୋଣ୍ଡା ସ୍ପିଲୱେ ଲଞ୍ଚ ଘାଟରୁ ବାହାରି ବିଚ୍ଛିନ୍ନାଞ୍ଚଳର ଯନ୍ତ୍ରି, ଯୋଡାମ୍ବ, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ଗାଜଲ ମାମୁଡି ପଞ୍ଚାୟତର ସମସ୍ତ ଗ୍ରାମକୁ ଯାତ୍ରା କରିବ ।

ଏହାସହ ସେଠାରେ ଥିବା ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ସମସ୍ତ ରୋଗୀଙ୍କୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅନ୍ୟ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଆବଶ୍ୟକ ହେଲେ ମାଲକାନଗିରି ସଦର ଚିକିତ୍ସାଳୟକୁ ଅଣାଯିବ । ଉନ୍ନତମାନର ଏହି ୱାଟର ଆମ୍ବୁଲାନ୍ସଟି ପ୍ରଥମ କରି ଆଜି ବିଚ୍ଛିନ୍ନାଞ୍ଚଳକୁ ଗସ୍ତ କରିବା ପରେ ଜଳଘେରରେ ରହିଯାଇଥିବା ଆଦିବାସୀଙ୍କ ମୁଖରେ ହସ ଫୁଟିଛି ।