ନୂଆଦିଲ୍ଲୀ: ୱାଘା-ଅଟ୍ଟାରି ସୀମାରେ ଆଜି ଧ୍ୱଜାବତରଣ ହେବନାହିଁ। ଏହି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ସେନା ପ୍ରତିଦିନ ସନ୍ଧ୍ୟାରେ ଧ୍ୱଜା ଅବତରଣ କରିଥାଆନ୍ତି। ଏହି ସମୟରେ ବେଶ କିଛି ସମୟ ଧରି ଉଭୟ ପକ୍ଷର ପ୍ୟାରେଡ୍ ହୋଇଥାଏ। ଏହି ଧ୍ୱଜାବତରଣ କାର୍ୟ୍ୟକ୍ରମକୁ ଦେଖିବାକୁ ବହୁ ଲୋକ ଉଭୟ ସୀମାରେ ହାଜର ହୁଅନ୍ତି। କିନ୍ତୁ ଆଜି ଏହାକୁ ବାତିଲ କରି ଦିଆଯାଇଛି। ଆଜି ସନ୍ଧ୍ୟା ୪ଟାରୁ ୫ଟା ମଧ୍ୟରେ ପାକିସ୍ତାନ ସେନା ଗିରଫ କରିଥିବା ଭାରତୀୟ ପାଇଲଟ୍ ଅଭିନନ୍ଦନ ସେହିବାଟ ଦେଇ ଭାରତ ଆସିବେ। ତେଣୁ ଏହି କାରଣ ପାଇଁ ଆଜି ଧ୍ୱଜାବତରଣ କାର୍ୟ୍ୟକ୍ରମ ବାତିଲ କରାଯାଇଛି। ବୁଧବାର ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢ଼େଇ କରିବା ବେଳେ ଦୁର୍ଭାଗ୍ୟବଶତଃ ପାଇଲଟ୍ ଅଭିନନ୍ଦନ ପିଓକେକୁ ଚାଲି ଯାଇଥିଲେ। ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ତେବେ ଭାରତର ଚାପରେ ଚେପା ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଛି। ପାଇଲଟ ଅଭିନନ୍ଦନଙ୍କ ଭଳି ଜଣେ ବୀରଙ୍କୁ ସ୍ୱାଗତ କରିବା ପାଇଁ ଶହଶହ ଲୋକ ସକାଳୁ ୱାଘା-ଅଟ୍ଟାରି ବର୍ଡରରେ ଏକାଠି ହୋଇଛନ୍ତି। ସେହିପରି ବାୟୁସେନାର ଅଧିକାରୀ ଏବଂ ଅଭିନନ୍ଦନଙ୍କ ବାପା ମା’ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।
Prev Post
Next Post