ବିରଳ ଶାଗୁଣା ଉଦ୍ଧାର

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ଗଡ଼ବାଣିକିଲୋ ପଂଚାୟତ ଅଧୀନ ଗୁଣ୍ତୁରିଆ ଗାଁରୁ ଏକ ବିରଳ ଶାଗୁଣା ଉଦ୍ଧାର କରାଯାଇଛି। ସ୍ଥାନୀୟ ବନ ବିଭାଗ ରେଞ୍ଜର୍‌ ଶରତ କୁମାର ଶତପଥୀଙ୍କ ସୂଚନା ମୁତାବକ ରଣପୁର ବନ ବିଭାଗ ଅନ୍ତର୍ଗତ ଗୁଣ୍ତୁରିଆ ଗାଁର ଏକ କୁକୁଡ଼ା ଫାର୍ମ ନିକଟରେ ଅସୁସ୍ଥ ଅବସ୍ଥାରେ ଏହି ଶାଗୁଣାକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ।

ଫରେଷ୍ଟର କୈବଲ୍ୟ ବେହେରା ଓ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ ଉକ୍ତ ସ୍ଥାନରେ ପହଂଚି ଅସୁସ୍ଥ ଶାଗୁଣାକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ସ୍ଥାନୀୟ ପଶୁ ଚିକିତ୍ସାଳୟ କର୍ମଚାରୀଙ୍କ ସହାୟତାରେ ଶାଗୁଣାଟିର ଚିକିତ୍ସା କରାଯାଉଥିବା ଜଣାଯାଇଛି। ଏ ଅଂଚଳରେ ପ୍ରାୟ ୩୦ ବର୍ଷ ହେଲା ଶାଗୁଣା ଦେଖିବାକୁ ମିଳି ନଥିବାବେଳେ ବେଳେ ଆଜି ଏହି ଶାଗୁଣାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ତେବେ ପକ୍ଷୀ ବିଶେଷଜ୍ଞମାନେ ଏହା ଉପରେ ବିଶେଷ ଗୁରୁତ୍ବାରୋପ କରି ଅନୁସନ୍ଧାନ କଲେ ଅଂଚଳରେ ଶାଗୁଣାର ପୁନରୁଦ୍ଧାର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।