ଷଷ୍ଠ ପର୍ଯ୍ୟାୟରେ ୫୯.୬୦% ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନ ପାଇଁ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ୫୯.୬୦% ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୮୦.୧୩%, ଝାଡ଼ଖଣ୍ଡରେ ୬୪.୪୬%, ହରିୟାଣାରେ ୬୨.୧୨%, ମଧ୍ୟପ୍ରଦେଶରେ ୫୫.୪%, ଦିଲ୍ଲୀରେ ୫୫.୪୪% ଏବଂ ଉତ୍ତରପ୍ରଦେଶରେ ୫୦.୮୨% ମତଦାନ ହୋଇଛି। ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଂଜୟ ଜୟସୱାଲଙ୍କ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗରେ ପୂର୍ବତନ ଆଇପିସିଏ ଅଧିକାରୀ ଭାରତୀ ଘୋଷଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ସେହିପରି ପଶ୍ଚିମବଙ୍ଗର ଝାରଗ୍ରାମ ଏବଂ ଗୋପୀବଲ୍ଲଭପୁରରେ ୨ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି।

ଏହି ପର୍ଯ୍ୟାୟରେ ୫୯ ଲୋକସଭା ଆସନ ପାଇଁ ୯୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ ବିଜେପି ୫୯ରୁ ୪୫ ଆସନରେ ବିଜୟୀ ହୋଇଥିଲା ବେଳେ ତାର ସହଯୋଗୀ ଦଳ ଏଲଜିପି ୧ଟି, କଂଗ୍ରେସ ୨, ଟିଏମ୍‍ସି ୮, ଏସ୍‍ପି ୧, ଆଇଏନଏଲଡି ୨ଟି ଆସନରେ ବିଜୟୀ ହୋଇଥିଲେ। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭, ବିହାରର ୮, ହରିୟାଣାର ୧୦, ମଧ୍ୟପ୍ରଦେଶ ୮, ଉତ୍ତରପ୍ରଦେଶ ୧୪ ଏବଂ ଝାଡ଼ଖଣ୍ଡର ୪ ଲୋକସଭା ଆସନ ପାଇଁ ମତଦାନ ହୋଇଛି।