ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ

ଭୁବନେଶ୍ୱର : ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି । ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ । କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି ।
ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି । ସବୁ କିଛି ହାତ ପାହାନ୍ତାରେ ମିଳୁଛି । କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍ ସହିତ ସଂଶ୍ଳିଷ୍ଟ ।
ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ । କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ । ଗୋଟେ ମିିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ । ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ ।
ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ । ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି । ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୂଚନା (ଇନ୍‌ଫର୍ମେସନ୍‌) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ପରେଶ ଦାସ । ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି । ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସ୍‌ଡ ନ୍ୟୁଜ୍‌) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର । ତାଙ୍କ ସହିତ ଆର୍‌ଜେ କେପି ଏବଂ ଆର୍‌ଜେ ସବ୍‌ନମ୍ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍‌) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନ୍‌ର ଚିଫ୍ କୋ-ଏଡିଟର୍ ଶ୍ରୀ ସୁଦାମ୍‌ବନ୍ଧୁ ଭଟ୍ଟମିଶ୍ର । ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏବଂ ଆର୍‌ଜେ କେପି ଆଲୋଚନା କରିଥିଲେ । ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍‌, ଚେକ୍‌, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ । ତାଙ୍କ ସହ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ସବ୍‌ନମ୍ ଓ ଆର୍‌ଜେ କେପି । ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆର୍‌ଜେ ସବ୍‌ନମ୍‌, ଆର୍‌ଜେ ରମାବଲ୍ଲଭ ଓ ଆର୍‌ଜେ କେପି । ସେହିପରି ଭୁଲ୍ ସମ୍ବାଦ (ମିସ୍‌ଇନ୍‌ଫର୍ମେସନ୍‌) କୁ ଭିତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ଗୌର ଏବଂ ଆର୍‌ଜେ ସବ୍‌ନମ୍ ।
ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।