ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ଭକ୍ତି ଓ ପୁରୀ ବିକାଶ ପରିକଳ୍ପନା ନେଇ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବଡ ଖୁଲାସା

ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଜଣେ ବଡ ଭକ୍ତ: ପାଣ୍ଡିଆନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ଜଣେ ବଡ ଭକ୍ତ । ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ପାଖକୁ ଯେତେବେଳେ ଯାଆନ୍ତି ସେତେବେଳେ ସେ ଭିନ୍ନ ମଣିଷ ପାଲଟି ଯାଆନ୍ତି । ଆଉ ପୁରୀ ଯିବା ରାସ୍ତାରେ ଯେଉଁଠି ବି ଜଗନ୍ନାଥଙ୍କ ଫଟୋଚିତ୍ର ଦେଖନ୍ତି ସେଠି ଆଖି ବନ୍ଦକରି ଜଗନ୍ନାଥଙ୍କୁ ପ୍ରଣାମ କରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗନ୍ନାଥ ଭକ୍ତି ସଂପର୍କରେ ଏମିତି ଏକ ଅନାଲୋଚିତ ଦିଗ ସଂପର୍କରେ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ୃଟି ସଚିବ ଭି.କେ ପାଣ୍ଡିଆନ । ଆଜି ଲୋକସେବା ଭବନରେ ଆୟୋଜିତ ପୁରୀ ଐତିହ୍ୟ କରିଡୋର ନକ୍ସା ଉନ୍ନୋଚନ ଅବସରରେ ଏମିତି କହିଛନ୍ତି ପାଣ୍ଡିଆନ । ଏହା ସହ ପୁରୀ ବିକାଶ ଓ ଶ୍ରୀମନ୍ଦିର ଚାରିପଟ ସୌନ୍ଦ୍ୟର୍ଯ୍ୟକରଣ କାମର ପରିକଳ୍ପନା କିପରି ହେଲା ସେ ସଂପର୍କରେ ବିସ୍ତୁତ ସୂଚନା ଦେଇ ଏହି ପରିକଳ୍ପନା ୨୦୧୬ରୁ ଆରମ୍ଭ ହୋଇଥିବା କହିଛନ୍ତି ।

୨୦୧୬ ଜାନୁଆରି ପହିଲା ଦିନ ମୁଖ୍ୟମନ୍ତ୍ରୀଙ୍କ ସହିତ ଶ୍ରୀଜନ୍ନାଥ ଦର୍ଶନ ଲାଗି ପୁରୀ ଯିବା ସମୟର ଅନୁଭୂତି ବର୍ଣ୍ଣନା କରି ପାଣ୍ଡିଆନ୍ କହିଛନ୍ତି- ମୁଖ୍ୟମନ୍ତ୍ରୀ ହେଉଛନ୍ତି ମହାପ୍ରଭୁଙ୍କର ଜଣେ ବଡ଼ ଭକ୍ତ।
ବର୍ତ୍ତମାନ ଶ୍ରୀମନ୍ଦିରକୁ ନେଇ ଯେଉଁ ଯୋଜନା ଚାଲିଛି ତାହାର ପରିକଳ୍ପନା ୨୦୧୬ ମସିହା ନୂଆବର୍ଷ ଦିନ ଆରମ୍ଭ ହୋଇଥିଲା। ସେଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ସାଥିରେ ଥିବା ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ମନ୍ଦିର ଲାଗି କିଛି ଭଲ କାମ କରିବାର ଇଚ୍ଛା ପ୍ରକଟ କରିଥିଲେ । ଏହାପରେ ପୁରୀକୁ ଏକ ଐତିହ୍ୟ ନଗରୀ କରିବାର କାର‌୍ୟ୍ୟ ଆରମ୍ଭ ହୋଇଥିଲା। ସଙ୍ଗେ ସଙ୍ଗେ ବଡ଼ଦାଣ୍ଡରେ ଥିବା ଜେଲକୁ ଅନ୍ୟତ୍ର ଉଠାଇ ନେବାକୁ ନିଷ୍ପତ୍ତି ହୋଇଥିଲା। ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ହୋଇଥିଲା। ସେଦିନ ଠାରୁ ଆରମ୍ଭ ହୋଇଥିବା କାମ ଆଜି ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି।
ଆଜି ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ୫-ଟି ସଚିବ ଅତ୍ୟନ୍ତ ଆନ୍ଦ ସହକାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଳାଷ ସଂପର୍କରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ,‘ ପୁରୀ ଯିବା ରାସ୍ତାରେ ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ବସି ତାଙ୍କ ଭାବଭଙ୍ଗୀ କେମିତି ରହୁଥିଲା ତାହା ଦେଖୁଥିଲି । ମୁଖ୍ୟମନ୍ତ୍ରୀ ପୁରୀ ଯିବା ରାସ୍ତାରେ ବାଟ ସାରା କେଉଁ ହୋର୍ଡିଂ ହେଉ ଅଥବାକ ବ୍ୟାନର, ଯେଉଁଠି ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଖୁଥିଲେ, କିଛି ମୁହୂର୍ତ୍ତ ଲାଗି ଆଖିବୁଜୁ ଥିଲେ ଓ ପ୍ରଣାମ କରୁଥିଲେ। ସେଦିନ ସେ ଯେତେବେଳେ ଜଗନ୍ନାଥଙ୍କ ସମ୍ମୁଖକୁ ଗଲେ, ପାଲଟିଗଲେ ଜଣେ ଭିନ୍ନ ମଣିଷ।’ ଏହି ଘଟଣା ପାଣ୍ଡିଆନଙ୍କୁ ଅଭିଭୂତ କରିଥିଲା।
ତେବେ ଦର୍ଶନ ସାରି ଫେରିବା ବେଳେ ଐତିହ୍ୟ କରିଡର ବିକାଶ ନେଇ ଯୋଜନା ହୋଇଥିଲା । ଲୋକସେବା ଭବନରେ ପୁରୀର ଐତିହ୍ୟ କରିଡର ବିକାଶ ନେଇ ବୈଠକରେ ନବୀନଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପାଣ୍ଡିଆନ।