ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସ୍ଥିତ ଏଲ.ଜି. ପଲିମର୍ସ ପ୍ଲାଂଟରେ ଦୁର୍ଘଟଣା। ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ବିଷାକ୍ତ ଗ୍ୟାସ ପ୍ରଭାବରେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେଣି ।
ବିଶାଖାପାଟଣା ସହରର ଗୋପାଳପାଟଣା ନିକଟ ଆର. ଆର. ଭେଙ୍କଟପୂରମରେ ଥିବା ଏଲ.ଜି. ପଲିମର୍ସ ପ୍ଲାଂଟରୁ ହଠାତ୍ ଆଜି ସକାଳେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା। ଏଥିରେ ୧୦ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତ ୧୦ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଏହି ବିଷାକ୍ତ ଗ୍ୟାସ ଲିକ୍ କାରଣରୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ସହ ଶ୍ୱାସକ୍ରିୟା ସମସ୍ୟା ଦେଖା ଦେଉଛି।
ଘଟଣାସ୍ଥଳରେ ପୋଲିସ ପହଂଚି କମ୍ପାନୀ ନିକଟରେ ୫ କିଲୋମିଟର ପରିଧିରେ ରହିଥିବା ସମସ୍ତ ଲୋକଙ୍କୁ ଘର ଖାଲି କରି ଚାଲି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଦମକଳ ବାହିନୀ ସହ ନୌସେନାର କିଛି ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଦୀର୍ଘଦିନ ଧରି ପ୍ଲାଂଟ ବନ୍ଦ୍ ଥିଲା । ଆଜି ଗ୍ୟାସ୍ ଲିକ୍ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ। ବିଶାଖାପଟନମ୍ ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚିଛନ୍ତି।