ଜୟପୁର, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲର ସମୀକ୍ଷା କଲେ ଉନ୍ନୟନ କମିସନର ଓ ୫ଟି ସଚିବ

ଭୁବନେଶ୍ୱର: ଆଜି ଉନ୍ନୟନ କମିସନର ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଜୟପୁର, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହ ସମୀକ୍ଷା କରିଥିବା ଜଣାପଡିଛି ।

ଆଜି ପ୍ରଥମେ କୋରାପୁଟ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆସିଥିଲେ। ଆଜି ସକାଳ ସାଢ଼େ ୯ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ସଚିବ ଜୟପୁରରେ ପହଂଚି ପ୍ରଥମେ କୋଭିଡ୍‌ ହସ୍ପିଟାଲ ଗସ୍ତ କରି ସମୀକ୍ଷା କରିଥିଲେ। ଏପରିକି ବେଡ଼ ବ୍ୟବସ୍ଥା ଠାରୁ ଆରମ୍ଭ କରି ଭେଂଟିଲେଟର , ଆଇସିୟୁ ଆଦି ସମସ୍ତ କକ୍ଷ ବୁଲି ଦେଖିବା ସହ ଉପସ୍ଥିତ ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ମାଲକାନଗିରି ଅଭିମୁଖେ ଯାଇଥିଲେ। ଜୟପୁର କୋଭିଡ୍‌ ହସ୍ପିଟାଲରେ ୧୫୦ ଶଯ୍ୟା ଓ ୪ଟି ଆଇସିୟୁ ରହିଛି।

ମାଲକାନଗିରି ପହଂଚି ସେଠାରେ ଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରି ଉଭୟେ ସ୍ଥିତିର ସମୀକ୍ଷା କରିଥିଲେ । ତା’ପରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ପ୍ରମୁଖ ଉପସ୍ଥିତ ଥିବାର ସୂଚନା ମିଳିଛି।