ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ : ମାଲକାନଗିରିର ‘ବଣ୍ଡା’ ଜନଜାତି

ଭୁବନେଶ୍ୱର :  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ରବିବାର ଅର୍ଥାତ୍‌ ଅକେଫାବର ୩୧ ତାରିଖ ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @ଟଟ୍ଟଟcଛeଠ, @ଟcଟଟ୍ଟrଟ୍ଟi ଖୋଲି ମାଲକାନଗିରିର ବଣ୍ଡା ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଉଚ୍ଚ ପର୍ବତଶୃଙ୍ଗରେ ବଣ୍ଡା ଜନଜାତିଙ୍କ ବସତି ଅଟେ । ଏହା ମାଲକାନଗିରିର ପୂର୍ବାଞ୍ଚଳ ଘାଟର କୋଡାଇକାମ୍‌ବେରୁ ପର୍ବତମାଳାର ଅଂଶ ବିଶେଷ । ବଣ୍ଡା ଜନଜାତି କୃଷିଜୀବୀ ସଂପ୍ରଦାୟର ଅଟନ୍ତି । ସେମାନେ ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ବଣ୍ଡା ଜନଜାତିଙ୍କର ଅନନ୍ୟ ବ୍ୟକ୍ତିଗତ ବୈଶିଷ୍ଟ୍ୟପୂର୍ଣ୍ଣ ଚେହେରା ସେମାନଙ୍କୁ ବିଶ୍ୱରେ ଅନ୍ୟମାନଙ୍କଠାରୁ ପୃଥକ କରିଥାଏ । ବଣ୍ଡା ଜନଜାତି ପୁରୁଷମାନେ ସରୁ ତଥା ଲମ୍ବା କପଡ଼ା ବ୍ୟବହାର କରିଥାନ୍ତି । ବଣ୍ଡା ଜନଜାତିର ମହିଳାମାନଙ୍କର ପୋଷାକପରିଚ୍ଛଦ ଏବଂ ବେଶଭୂଷା ଅସାଧାରଣ ଅଟେ । ସେମାନେ ଶରୀରର ଉପରଭାଗକୁ ମାଳି ଓ ପିତ୍ତଳରେ ତିଆରି ଓଜନିଆ ମାଳି ଦ୍ୱାରା ଆଚ୍ଛାଦିତ କରିଥାନ୍ତି । ବଣ୍ଡା ଜନଜାତି ମହିଳାମାନେ ଯେଉଁ ସରୁ ତଥା କ୍ଷୁଦ୍ର କପଡ଼ା ବ୍ୟବହାର କରନ୍ତି, ତାହାକୁ ‘ନାଡ଼ି’ କୁହାଯାଏ ।
ବଣ୍ଡା ଜନଜାତିମାନେ ଛୋଟ ନଡ଼ାଛପର କୁଡ଼ିଆରେ ବସବାସ କରନ୍ତି । ବଣ୍ଡା ଜନଜାତିଙ୍କ ଗ୍ରାମ ସ୍ୱୟଂକି୍ରୟ ଅଟେ । ଗ୍ରାମ ମୁଖ୍ୟ ‘ନାଏକ’, ଗ୍ରାମସଭାର ପରିଚାଳନା କରୁଥିବା ‘ଚାଲାଣ’ ଗ୍ରାମର ବାର୍ତ୍ତାବାହକ ‘ବାରିକ’ଙ୍କ ଦ୍ୱାରା ସାମାଜିକ ଶୃଙ୍ଖଳା ବଜାୟ ରହିଥାଏ । ବଣ୍ଡା ଜନଜାତିମାନେ ପ୍ରାୟତଃ ପ୍ରକୃତିର ବିଭିନ୍ନ ଉପାଦାନକୁ ପୂଜା କରିଥାନ୍ତି । ନୃତ୍ୟ ଓ ସଂଗୀତ ବଣ୍ଡା ଜନଜାତିଙ୍କର ଜୀବନର ମୁଖ୍ୟ ଅଂଶ ଅଟେ ।