ଭୁବନେଶ୍ୱର : ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ ଜନଜାତିମାନେ ସୌନ୍ଦର୍ଯ୍ୟବର୍ଦ୍ଧନ ନିମନ୍ତେ ବିଭିନ୍ନ ଶୈଳୀରେ କେଶବିନ୍ୟାସ କରିଥା’ନ୍ତି । ଲମ୍ବାକେଶ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଡଙ୍ଗରିଆ କନ୍ଧ ଜନଜାତି ପୁରୁଷ ଓ ମହିଳାମାନେ ସେମାନଙ୍କର ଲମ୍ବା କେଶକୁ କ୍ଲିପ୍, ଫୁଲ ଓ ପିନ୍ ଦେଇ ସଜାଇଥା’ନ୍ତି । ଅନେକଗୁଡ଼ିଏ ପିନ୍ ସହାୟତାରେ ସେମାନେ ମୁଣ୍ଡରେ ପାରମ୍ପରିକ ‘ଖୋସା’ ତିଆରି କରିଥା’ନ୍ତି । କଇଁଚି ଆକୃତିର ହେୟାରପିନ୍ ‘ସିପ୍ନା’କୁ ସେମାନେ ମୁଣ୍ଡ ‘ଖୋସା’ ସଜାଇବାରେ ବ୍ୟବହାର କରିଥା’ନ୍ତି । ‘ଖୋସା’କୁ ଠିକ୍ ଭାବରେ ରଖିବା ପାଇଁ ମୁଣ୍ଡକଣ୍ଟାମାନ ବ୍ୟବହାର କରାଯାଏ ।
ସେହିଭଳି ଲାଞ୍ଜିଆ ସଉରା ମହିଳାମାନେ ସମାନ ଭାବେ ସେମାନଙ୍କର କେଶଶୈଳୀକୁ ସଜାଇଥା’ନ୍ତି । ବେକର ଉପରଭାଗରେ ଚଟକା ‘ଖୋସା’ ତିଆରି କରିଥା’ନ୍ତି । ଏହାକୁ ଦୁଇ କାନ ପଛ ଦେଇ ଏକ ଚେନ୍ରେ ସୁରକ୍ଷିତ କରାଯାଇଥାଏ । ଆଉ ମଧ୍ୟ ଏକ ଲମ୍ବା ମୁଣ୍ଡପିନ୍ ବ୍ୟବହାର କରାଯାଏ । ଏହାକୁ ସେମାନେ କେଶର
ଶୋଭାବର୍ଦ୍ଧନ ସହିତ ଆତ୍ମରକ୍ଷା ନିମନ୍ତେ ବ୍ୟବହାର କରିଥା’ନ୍ତି । ସେମାନେ ଖୋସାରେ ମଧ୍ୟ ପତ୍ରର ନଳ ଖୋସିଥା’ନ୍ତି ।
ସାନ୍ତାଳମାନେ ରୂପା କାରୁକାର୍ଯ୍ୟ ହୋଇଥିବା ବଡ଼ ହେୟାରପିନ୍ ବ୍ୟବହାର କରିଥା’ନ୍ତି । ମୁଣ୍ଡର ପଛ ଭାଗରେ ଟାଇଟ୍ ଭାବେ ବନ୍ଧା ଯାଇଥିବା ଖୋସାରେ ସେମାନେ ଏହି ପିନ୍ ବ୍ୟବହାର କରିଥା’ନ୍ତି । କୁଟିଆ କନ୍ଧ ମହିଳାମାନେ ସେମାନଙ୍କର କେଶକୁ ସୁନ୍ଦର ଭାବେ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ଛୋଟଛୋଟ ହେୟାରପିନ୍,
ପାନିଆ ଓ ଚେନ୍ ବ୍ୟବହାର କରିଥା’ନ୍ତି । ସେହିଭଳି ଦିଦାୟୀ ଜନଜାତିମାନେ ସେମାନଙ୍କର କେଶରେ ସୁନ୍ଦର ‘ଖୋସା’ ଓ ନାକଚଣା ପିନ୍ଧି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିଥା’ନ୍ତି । ଅନ୍ୟାନ୍ୟ ଜନଜାତି ଗୋଷ୍ଠୀ ଯଥା-ଖରିଆ, ପାଉଡ଼ିଭୂୟାଁ ଓ ଧରୁଆ ଜନଜାତିମାନେ ସେମାନଙ୍କର କେଶ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ହେୟାରପିନ୍ ବ୍ୟବହାର କରିଥା’ନ୍ତି ।
ଭିଡ଼ିଓରେ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଭର୍ଚୁଆଲ୍ ଟୁରରେ ରାଜ୍ୟ ଜନଜାତି ସଂଗ୍ରହାଳୟରେ ଜନଜାତିମାନେ କିଭଳି ସେମାନଙ୍କର କେଶ ସଜାଇଥା’ନ୍ତି, ସେ ବିଷୟରେ ରବିବାର ଅର୍ଥାତ୍ ଜାନୁଆରୀ ୧୦ ତାରିଖ ଦିନ ଜାଣିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।