ଆତଙ୍କବାଦୀ ମାସୁଦ୍ ଆଝାର ଗୁରୁତର!

ଇସଲାମାବାଦ: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାର ଗୁରୁତର ଆହତ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ ରାଓ୍ୱଲପିଣ୍ଡିରେ ଥିବା ଆର୍ମି ହସ୍ପିଟାଲରେ ବିସ୍ଫୋରଣ ହେବା ଯୋଗୁ ଆତଙ୍କବାଦୀ ମାସୁଦ୍ ସମେତ ୧୦ ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି। ଏବେ ସମସ୍ତ ଆହତ ହସ୍ପିଟାଲର ଜରୁରୀକାଳୀନ ଓ୍ୱାର୍ଡରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଆର୍ମି ହସ୍ପିଟାଲରେ ମାସୁଦ୍ ଆଝାର ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା। ତେଣୁ ବିସ୍ଫୋରଣ ବେଳେ ହସ୍ପିଟାଲରେ ଥିଲା ବୋଲି ସୋଶାଲ ମିଡିଆରେ ପ୍ରକାଶ ପାଇଛି।

ଏହସାନ ଉଲ୍ଲହା ମିୟାଖେଲ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଟାଇମଲାଇନରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ହସ୍ପିଟାଲରେ ହୋଇଥିବା  ବିସ୍ଫୋରଣ ଚିତ୍ର ସହ କିଛି ବାର୍ତ୍ତା ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନ ଆର୍ମି ହସ୍ପିଟାଲରେ ଆତଙ୍କବାଦୀ ମାସୁଦ୍ ଆଝାର ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଏହି ବିସ୍ଫୋରଣ ପରେ ସେନା ହସ୍ପିଟାଲକୁ ଚାରିପଟୁ ଘେରି ରଖିଛି। ଏଥିସହ ଏହି ଖବର ପ୍ରକାଶ ନକରିବାକୁ ସ୍ଥାନୀୟ ଗଣମାଧ୍ୟମକୁ ସେନା ଧମକ ଦେଇଥିବା ଏହସାନ ଉଲ୍ଲହା ମିୟାଖେଲ ଉଲ୍ଲେଖ କରିଛନ୍ତି।ତେବେ ବିସ୍ଫୋରଣର କାରଣ ଓ ମାସୁଦ୍ ଆଝାର ପ୍ରକୃତରେ ଆହତ ହୋଇଛନ୍ତି କି ନାହିଁ ତାହା ଏଯାଏ ଜଣାପଡ଼ି ନାହିଁ।