ନାଗରିକତା ସଂଶୋଧନ ଆଇନ୍ କୁ ନେଇ ବଢ଼ୁଛି ହିଂସା: ଦିଲ୍ଲୀ, ଆସାମ ଓ ପଶ୍ଚିମବଙ୍ଗରେ ପ୍ରଭାବ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ କୁ ନେଇ ଦିନକୁ ଦିନ ଦେଶର ଚାରିଆଡେ ହିଂସା ଲାଗି ରହିଛି । ଏ ନେଇ ଦିଲ୍ଲୀ, ଆସାମ ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଦକ୍ଷିଣ ଦିଲ୍ଲୀରେ ଏହି ଆଇନ୍ କୁ ବିରୋଧ କରି ଆଜି ତୀବ୍ର ଉତେଜନା ଦେଖାଦେଇଛି । ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ପୋଲିସ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଆନ୍ଦୋଳନାରୀମାନଙ୍କ ସହ ମୁହାଁମୁହିଁ ହୋଇଛି। ପୋଲିସ ପରିସ୍ଥିତିକୁ ଆୟତ୍ତ କରିବାକୁ ଟିୟର୍‌ ଗ୍ୟାସ୍‌ ‌ପକାଇଥିବା ବେଳେ ଆନ୍ଦୋଳନକାରୀମାନେ ରାଗରେ ଆସି କାର୍‌ ଭଙ୍ଗାରୁଜା କରିବା ସହ ୩ଟି ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଶହ ଶହ ଜାମିଆ ଛାତ୍ରଛାତ୍ରୀ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଗତକାଲି ସେମାନଙ୍କ କଲେଜ ପରିିସରରୁ ଶୋଭାଯାତ୍ରା ବାହାର କରି ସଂସଦରେ ପହଞ୍ଚିବା ପରଦିନ ଏପରି କାଣ୍ଡ ଘଟାଇଛନ୍ତି।

ଅନ୍ୟପଟେ ଆସାମରେ ମଧ୍ୟ ପରିସ୍ଥିତି ଅସମ୍ଭାଳ ରହିଛି ।  ଏହି ଆନ୍ଦୋଳନରେ ଏବେ ସୁଦ୍ଧା ସମୁଦାୟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆସାମରେ ଉତ୍ତେଜନା କମିବାର ନାଁ ଧରୁ ନଥିବା କାରଣରୁ ପ୍ରଶାସନ ପକ୍ଷରୁ ଆନ୍ଦୋଳନ ପ୍ରଭାବିତ ଅଞ୍ଚଳରେ ଇଂଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ମୋବାଇଲ୍‌ ସେବା ବି କେତେକ ସ୍ଥାନରେ ବନ୍ଦ କରି ଦିଆଯାଇଛି। ମୋବାଇଲ୍‌ ଓ ଇଂଟରନେଟ୍ ସେବା ବନ୍ଦ ହେବା ପରେ ଏହା ଗୌହାଟୀ, ଦିବ୍ରୁଗଡ଼, ତେଜପୁର, ତିନସୁକିଆ ଆଦି ଅଞ୍ଚଳ‌କୁ ବିଶେଷ ପ୍ରଭାବିତ କରିଛି। ଆନ୍ଦୋଳନକୁ ଆୟତକୁ ଆଣିବା ପାଇଁ ଆସାମର ଅନେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି।

ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ୩ ଦିନ ଧରି ଏହି ଆନ୍ଦୋଳନ ଚାଲିଛି । ଆନ୍ଦୋଳନକାରୀଙ୍କୁ ଆୟତ୍ତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟର କେତୋଟି ଜିଲ୍ଲାରେ ରବିବାର ଇଂଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି। ମାଳଦା, ମରସିଦାବାଦ୍‌, ଉତ୍ତର ଦିନାଜପୁର, ହାୱଡା ଏବଂ ଦକ୍ଷିଣ ୨୪ ପରଗନା ଓ ଉତ୍ତର ୨୪ ପରଗନାର କିଛି ଅଞ୍ଚଳ ଏଥିଯୋଗୁ ପ୍ରଭାବିତ ହୋଇଛି। ଏହି ସବୁ ଅଞ୍ଚଳରୁ ଇଂଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।