ଭଞ୍ଜନଗର:ବହୁ ବାଦ ବିବାଦ ମଧ୍ୟରେ ରାଜ୍ୟ ସରକାର ଗଂଜେଇ ଚାଷକୁ ନା କହି ସାରିଛନ୍ତି । କିନ୍ତୁ ଗଂଜାମ ଜିଲ୍ଲା ଭଞ୍ଜନଗର ଅଂଚଳରେ ଗଂଜେଇ ଚାଷ କରିବାକୁ ଗ୍ରାମବାସୀ ଅଡି ବସିଛନ୍ତି । ଏପରି ପ୍ରଶାସନ ପକ୍ଷରୁ ଗଂଜେଇ ଗଛ ନଷ୍ଟ କରିବାକୁ ସେମାନେ ବିରୋଧ କରିଛନ୍ତି ।
ଆଜି ସକାଳେ ଜିଲ୍ଲାର ସୀମାନ୍ତ ଅଂଚଳ ଭଞ୍ଜନଗର ଖଜୁରିପଦାରେ ଧରାକୋଟ ଓ ବଦଗଡ ପୋଲିସ ଗଂଜେଇ ଚାଷ ନଷ୍ଟ କରିବାକୁ ଚଢାଉ କରିଥିଲା । ପୋଲିସକୁ ପ୍ରାୟ ୫୦ ଏକର ସ୍ଥାନରେ ଏହି ଚାଷ କରାଯାଉଥିବା ସୂଚନା ମିଳିଥିଲା । ପୋଲିସ ଚଢାଉ କରି ନଷ୍ଟ କରିବାକୁ ଯିବା ସମୟରେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଏହାସହ ସେମାନେ ପୋଲିସକୁ ଘେରିଥିଲେ । ଏପରିକି ପୋଲିସ, ଅବକାରୀ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମଦ ଦୋକନ ବନ୍ଦ ନକରି କଣ ପାଇଁ ଗଂଜେଇ ଗଛ ନଷ୍ଟ କରୁଛ ବୋଲି ଗ୍ରାମବାସୀ ପୋଲିସକୁ ପଚାରିଥିଲେ ।
ଏବେ ମଧ୍ୟ ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ବରିଷ୍ଠ ଅଧିକାରୀମାନେ ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛନ୍ତି ।