ନାବାଳିକା ଅପହରଣ ଉଦ୍ୟମ ପଣ୍ଡ, ଲୋକଙ୍କ ହାତରେ ଧରାପଡି ନିସ୍ତୁକ ଛେଚା ଖାଇଲେ ମା ଓ ପୁଅ

ବାରିପଦା : ନାବାଳିକା ଅପହରଣ ଉଦ୍ୟମ ପଣ୍ଡ । ଲୋକଙ୍କ ହାତରେ ଧରାପଡି ନିସ୍ତୁକ ଛେଚା ଖାଇଲେ ମଧ୍ୟପ୍ରଦେଶ ଅଞ୍ଚଳ ମା ଓ ପୁଅ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାରେ । ଅଟୋଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନାବାଳିକା ଜଣଙ୍କୁ ଉଦ୍ଧାର ପାଇଛି ।

ବେକରେ ଜୋତାମାଳ। ପଛ ଆଡୁ କିଏ ଗୋଇଠା ମାରୁଛି ତ ଆଉ କିଏ ଚାପୁଡା । ଜଣେ ଯୁବକଙ୍କୁ ରାସ୍ତା ଉପରେ ଏଭଳି ହଲାପଟା କରୁଛନ୍ତି କିଛି ଲୋକ । ସାଙ୍ଗରେ ଅଛନ୍ତି ଜଣେ ମହିଳା । ଯୁବକ ଏବଂ ମହିଳା ହେଉଛନ୍ତି ମା ଓ ପୁଅ । ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ଏମାନଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡିଛି । ଘଟଣା ଘଟିଛି ମୟୁରଭଞ୍ଜ ଚାନ୍ଦୁଆ ଅଁଳାକୁଡା ଛକରେ । ଦୁଇଦିନ ତଳେ ମଧ୍ୟପ୍ରଦେଶର ରାଧା ଚୌଧୁରୀ ଓ ପୁଅ ଧର୍ମନ ଚୌଧୁରୀ ନାବାଳିକାର ମାଉସୀଘର ସଂପର୍କୀୟ ଲୋକ ବୋଲି କହି ବନ୍ଧୁ ବାନ୍ଧିବା ସହ କାଳିକାପୁର ସ୍ଥିତ ନାବାଳିକଙ୍କ ଘରେ ରହିଥିଲେ । ନାବାଳିକା ଘର ଲୋକଙ୍କ ବିଶ୍ବାସଭାଜନ ହେବାକୁ ବି ସକ୍ଷମ ହୋଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ନାବାଳିକା ଝିଅକୁ ଏକ ଅଟୋରେ ପଶ୍ଚିମବଙ୍ଗ ଅଞ୍ଚଳକୁ ନେବାକୁ ଚେଷ୍ଟା କରିଥିଲେ । ପରିବାର ଲୋକେ ଘରକୁ ଫେରି ଝିଅ କିମ୍ବା ଅତିଥିଙ୍କୁ ନପାଇ ବ୍ୟସ୍ତ ହେବା ସହ ଖୋଜାଖୋଜି କରିଥିଲେ । ତେବେ ଅଟୋଷ୍ଟାଣ୍ଡରେ ଝିଅ ସଂପର୍କରେ ଖବର ପାଇଥିଲେ ପରିବାର ଲୋକେ । ଝିଅକୁ ଯେଉଁ ଅଟୋରେ ନିଆଯାଉଥିଲା ଅଟୋ ଓ ଟାକ୍ସି ଆସୋସିଏସନର ସହାୟତାରେ ଅଟୋ ଚାଳକଙ୍କ ସହ ଯୋଗାଯୋଗ କରିଥିଲେ । ଅଁଳକୁଡା ଛକରେ ଅଟୋକୁ ଅଟକାଇବାକୁ ସକ୍ଷମ ହୋଇଥିଲେ ।

ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯିବା ସହ ଅପହରଣକାରୀ ମା ଓ ପୁଅକୁ ପୋଲିସ ଜିମା ଦିଆଯାଇଛି । ଏ ନେଇ ଚାନ୍ଦୁଆ ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଛି ।ମା ଓ ପୁଅକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି ।

ଏଠି ପ୍ରଶ୍ନ ଉଠୁଛି ମଧ୍ୟପ୍ରଦେଶରୁ ଆସିଥିବା ଏହି ଦୁଇ ଜଣଙ୍କ ସହ ମାତ୍ର ୨ ଦିନରେ ନାବାଳିକାର ପରିବାର ଲୋକେ ଏତେ ଘନିଷ୍ଠ ହେଲେ କେମିତି । ପରିବାର ଲୋକେ କେଉଁ ଭରସାରେ ନାବାଳିକାକୁ ଏମାନଙ୍କ ପାଖରେ ଛାଡ୍ ବାହାରକୁ ଯାଇଥିଲେ? ନା ଘଟଣା ପଛରେ ଆଉ କିଛି କାହାଣୀ ରହିଛି ? ଏ ସଂପର୍କରେ ନାବାଳିକାର ପରିବାର ମୁହଁ ଖୋଲୁ ନଥିବାରୁ ଘଟଣାର ସତ୍ୟାସତ୍ୟ ଉପରୁ ସଂପୂର୍ଣ୍ଣ ପରଦା ଉଠିପାରିନାହିଁ ।