ପୁଣିଥରେ ଟଙ୍କା ଫେରାଇବାକୁ କହିଲେ ମାଲ୍ୟା

ନୂଆଦିଲ୍ଲୀ: କୋରୋନା ନେଇ ଦେଶରେ ଚାଲିଥିବା ପରିସ୍ଥିତି ବେଳେ ଅନ୍ୟପଟେ ଋଣ ଖିଲାପକାରୀ ବିଜୟ ମାଲ୍ୟା ଋଣ ପରିଶୋଧ କରି ପାଇଁ ରାଜି ଅଛନ୍ତି ବୋଲି ଏକ ପତ୍ର ସାହାଯ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କହିଛନ୍ତି ।

ଏ ନେଇ ମାଲ୍ୟା ନିଜ ଟ୍ୱିଟରରେ ସେୟାର କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ବ୍ୟାଙ୍କମାନଙ୍କଠାରୁ ନେଇଥିବା ଋଣ ପରିଶୋଧ କରିବାକୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ବ୍ୟାଙ୍କମାନ ଶୁଣୁନାହାନ୍ତି । ଏପରିକି ଇଡି ମଧ୍ୟ ଶୁଣୁନାହିଁ । ସେପଟେ ସରକାର ତାଙ୍କର ସବୁ ସମ୍ପତି କୁ ଅଚଳ କରିଦେଇଛନ୍ତି । ଏହି ସଂକଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କଥା ଶୁଣନ୍ତୁ ବୋଲି ସେ ନିବେଦନ କରିଛନ୍ତି । କୋରୋନା ସଂକ୍ରମଣ ରୋକିବାକୁ ଭାରତ ସରକାର ନେଇଥିବା ପଦକ୍ଷେପକୁ ସେ ପ୍ରସଂଶା କରିଛନ୍ତି ।

ସୂଚନାଯୋଗ୍ୟ ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି ।