ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ,ଜବତ ହେଲା ୨୦ ଲକ୍ଷ

୫ କୋଟି ୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ବ୍ରହ୍ମପୁର : ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ୨୦ ଲକ୍ଷ ଟଙ୍କା ଜବତ କରିଛି । ଏଥି ସହିତ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି ।

ଆଜି ସକାଳେ ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । କେବଳ ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କିଛି ସମର୍ଥକ, ଡ୍ରାଇଭର, ପରାମର୍ଶଦାତା, ଫାଇନାନ୍ସରଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଛି । ଏହି ଚଢ଼ଉ କଟକ ଭିଜିଲାନ୍ସ ଟିମ୍ କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୫ କୋଟି ୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିଛି । ୨୦୦୯ରୁ ୨୦୨୦ ମସିହା ମଧ୍ୟରେ ଏହି ସମ୍ପତ୍ତି ସେ ଠୁଳ କରିଥିବା ତଦନ୍ତରୁ ଜଣାପଡିଥିଲା । ପୂର୍ବରୁ ଏନେଇ ଲୋକାୟୁକ୍ତଙ୍କୁ ରିପୋର୍ଟ ଦିଆଯାଇଛି ।
ଭିଜିଲାନ୍ସର ଚଢ଼ାଉ ତାଲିକାରେ ସହର ଏବଂ ସହର ଉପକଣ୍ଠ ଅଂଚଳ ରହିଥିଲା । ପ୍ରଥମେ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ପରେ ଅନ୍ୟ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।