କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ. ବିଐଏସ୍‌. ୟେଦିୟୁରପ୍ପା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀଙ୍କ ସହ କଥାବାର୍ତା ହୋଇଛନ୍ତି । ଏହି ଅବସରରେ ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ କେନ୍ଦ୍ର ପ୍ରେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।

ଲକ୍ ଡାଉନ୍ ସମୟରେ ଉଭୟ ରାଜ୍ୟ ସରକାର ସେଠାରେ ରହିଥିବା ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ଆସିବାକୁ ଚାହୁଁଥିବା ଓଡ଼ିଆ ଲୋକମାନେ ଯେପରି ସୁବିଧାରେ ଫେରି ଆସି;ବ ସେଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ଉଭୟ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ସେମାନଙ୍କ ରାଜ୍ୟ ସରକାର ଇତି ମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିଲେଣି । ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି ମଧ୍ୟ କାମ କରିପାରିବେ । ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହାନ୍ତି, ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

ଯେଉଁମାନେ ଓଡ଼ିଶା ଫେରିବାକୁ ଆଗ୍ରହୀ, ସେମାନଙ୍କୁ ଯେପରି ସେଠାରୁ ଓଡ଼ିଶା ସରକାରଙ୍କ ଅନଲାଇନ୍ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ସେଥିପାଇଁ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାନଙ୍କର ସ୍କ୍ରିନିଂ, ରେଜିଷ୍ଟ୍ରେସନ ଏବଂ ଯାତ୍ରା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ବିଧିବଦ୍ଧ ପ୍ରୋଟୋକଲ ପ୍ରସ୍ତୁତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଶ୍ରୀ ଆର.ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।