ଜୁମ୍ କଲକୁ ନେଇ ଆଡଭାଇଜରି ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଯୋଗୁଁ ଚାରଆଡେ ଲକ୍ ଡାଉନ୍ ହୋଇଥିବାବେଳେ ବହୁ ଲୋକ ଘରେ ବସି ନିଜ କାମ କରୁଛନ୍ତି । ଫଳରେ ଏହି ସମୟରେ ଜୁମ୍ କଲକୁ ଲୋକେ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଆପ କେତେ ସୁରକ୍ଷିତ ସେ ନେଇ ଏକ ଆଡଭାଇଜରି ଜାରି କରାଯାଇଛି, ଯେଉଁଥିରେ ସରକାର ଲୋକଙ୍କୁ ଏହି ଆପ୍ ବ୍ୟବହାରକୁ ନେଇ ସତର୍କ ରହିବାକୁ କହିଛନ୍ତି।

ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସରକାର ଏହି ଆପ ବ୍ୟବହାରକୁ ନେଇ ଲୋକମାନଙ୍କୁ ସତର୍କ ରହିବାକୁ ପୂର୍ବରୁ ଫେବୃଆରୀ ୬ ଏବଂ ମାର୍ଚ୍ଚ ୩୦ରେ ସୂଚନା ଦେଇଥିଲେ, ତେଣୁ ଲୋକମାନେ ଏହି ଆପ ବ୍ୟବହାରକୁ ନେଇ ସତର୍କ ରହିବା ଉଚିତ୍। ସରକାର କହିଛନ୍ତି ଯେ, ଯଦି ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି, ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ମନେ ରଖି ଏହାକୁ ବ୍ୟବହାର କରନ୍ତୁ । କ୍ରମାଗତ ଭାବରେ ପାସୱାର୍ଡ ବଦଳାନ୍ତୁ, କନଫରେନ୍ସ କଲରେ କାହାକୁ ଅନୁମତି ଦେବା ବେଳେ ସତର୍କ ରୁହନ୍ତୁ ।

ମନ୍ତ୍ରାଳୟ ଏହି ଆପ୍ ପାଇଁ ଆଡଭାଇଜରି ଜାରି କରି କହିଛି ଯେ, ଯଦି ଆପଣ ଏହି ଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ। ପ୍ରତ୍ୟେକ ବୈଠକ ପାଇଁ ନୂତନ ୟୁଜର ଆଇଡି, ପାସୱାର୍ଡ ବ୍ୟବହାର କରନ୍ତୁ, ‘ୱେଟିଂ ରୁମ ଫିଚର’କୁ କାର୍ଯ୍ୟକାରୀ କରନ୍ତୁ, ଯାହା ଦ୍ୱାରା ଏକ ଉପଭୋକ୍ତା କେବଳ ସେତେବେଳେ ପ୍ରବେଶ କରିପାରିବେ ଯେତେବେଳେ ହୋଷ୍ଟ ତାଙ୍କୁ ସଭା ଆୟୋଜନ କରିବାକୁ ଅନୁମତି ଦେବ, କେବଳ ହୋଷ୍ଟ ଦ୍ୱାରା ସ୍କ୍ରିନ୍ ଅଂଶୀଦାରକୁ ଅନୁମତି ଦିଅନ୍ତୁ, ‘ଆଲାଉ ରିମୁଭ ପାଟିସିପାଂଟ ଟୁ ରି-ଜଏନ’ ଫିଚରକୁ ଡିଆକ୍ଟିଭ୍ କରନ୍ତୁ, ଫାଇଲ୍ ସ୍ଥାନାନ୍ତର ବିକଳ୍ପ ଉପରେ ପ୍ରତିବନ୍ଧକ ଲଗାଇବା ସହ ରେକର୍ଡିଙ୍ଗ ଫିଚର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ । ଏହି ସମସ୍ତ ସତର୍କତା ସହିତ ଏହି ଆପଗୁଡିକ ବ୍ୟବହାର କରନ୍ତୁ, ନଚେତ୍ ଆପଣଙ୍କର ବ୍ୟକ୍ତିଗତ ସୂଚନା ଲିକ୍ ହେବାର ସମ୍ଭାବନା ଅଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।