ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ତେଜିଲା ଆନ୍ଦୋଳନ,ଦିଲ୍ଲୀ ସହ ସାରା ଦେଶରେ ଗର୍ଜିଲେ ଭିଏଚପି କର୍ମୀ

ଭୁବନେଶ୍ବର  : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ତେଜିଲା ଆନ୍ଦୋଳନ। ଆଜି ଦିଲ୍ଲୀରେ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ଗୁଡ଼ିକ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଦିଲ୍ଲୀ ରାମଲୀଳା ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ରାମ ମନ୍ଦିର ନିର୍ମାଣ ପାଇଁ ଦାବିରେ ସାମିଲ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାମ ମନ୍ଦିର ନିର୍ମାଣ ପାଇଁ ଆଇନଗତ ପ୍ରକ୍ରିୟାକୁ ଅପେକ୍ଷା ନକରି କେନ୍ଦ୍ର ସରକାର ଏଥିପାଇଁ ଅଧ୍ୟାଦେଶ ଆଣିବାକୁ ଦାବି କରିଛି ।

 ଦିଲ୍ଲୀ ରାମଲୀଳା ମଇଦାନରେ ବିଶାଳ ରାଲି । ଏକାଠି ହୋଇଛନ୍ତି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଲୋକ ।ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅଯୋଧ୍ୟାର ବିବାଦୀୟ ଜମିରେ ପ୍ରତିଷ୍ଠା ହେଉ ରାମ ମନ୍ଦିର । ବିଶ୍ବ ହିନ୍ଦୁ ପରିଷଦ ଏହି ବିଶାଳ ରାଲିର ଆୟୋଜନ କରିଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ସାମିଲ ହେଉଛନ୍ତି । ତେବେ ହଜାର ହଜାର ରାମ ମନ୍ଦିର ସମର୍ଥକ ଏକସଙ୍ଗେ ପହଞ୍ଚିବାରୁ ରାମଲୀଳା ମଇଦାନରେ ସେମାନଙ୍କର ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା ।

ଏପଟେ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପତି ହେଲା ରାଜଧାନୀ । ଅଯୋଧ୍ୟାରେ ରାମ ମନ୍ଦିର ଦାବିରେ ଲୋୟର ପିଏମଜିରେ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ କରିଛି ବିଶ୍ବହିନ୍ଦୁ ପରିଷଦ। ମହାମଣ୍ଡଳେଶ୍ବର ସ୍ବାମୀ ଅଖିଳେଶ୍ବରାନନ୍ଦଙ୍କ ସହ ବିଭିନ୍ନ ମଠ, ମନ୍ଦିରର ମହନ୍ତ ଓ ସାଧୁ ଯୋଗ ଦେଇଥିଲେ। … ସେହିପରି ବ୍ରହ୍ମପୁର ଚନ୍ଦ୍ରଚୁଡ଼େଶ୍ବର ମନ୍ଦିର ନିକଟରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା ବିଶାଳ ହିନ୍ଦୁ ସମାବେଶ। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଶହଶହ ଭିଏଚ୍‌ପି କର୍ମୀ ଏଥିରେ ଯୋଗଦେଇଥିଲେ ।… ବାଲେଶ୍ବର ଆଇଟିଆଇ ପଡ଼ିଆରେ ମଧ୍ୟ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିଲେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରୁ ଶହଶହ ଲୋକ ସାମିଲ ହୋଇ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇଛନ୍ତି।

ମଙ୍ଗଳବାର ଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହାହେବ ପାର୍ଲାମେଣ୍ଟର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ।