ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କର ଆଉ ନାହାନ୍ତି। ୮୧ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଶ୍ରୀ କରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ରାଜ୍ୟ ତଥା ତାଙ୍କର କର୍ମକ୍ଷେତ୍ର ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଜଣେ ସଫଳ ରାଜନେତା ଭାବେ ସ୍ୱର୍ଗତ କରଙ୍କର ଯଥେଷ୍ଟ ସୁନାମ ରହିଥିଲା। ସେ ଷଷ୍ଠ ଲୋକସଭା (୧୯୭୭-୮୦ ର ସଦସ୍ୟ ଥିଲେ ଏବଂ ତିନିଥର (୨୦୦୦- ୦୪, ୧୯୯୦- ୯୫ ଏବଂ ୧୯୭୧-୭୪) ମହଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ସ୍ୱର୍ଗତ କର ଥିଲେ ଶିକ୍ଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ। ଓଡ଼ିଶାର ରାଜନୈତିକ ଇତିହାସରେ ସ୍ୱର୍ଗତ କର ଥିଲେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଏବଂ ତାଙ୍କର ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ସ୍ୱର୍ଗତ କର ୧୯୭୭ ମସିହାରେ କଟକ ଲୋକସଭା ଆସନରୁ ଜନତା ପାର୍ଟି (ଲୋକଦଳ) ସାଂସଦ ଭାବରେ ନିର୍ବଚିତ ହୋଇଥିଲେ। ସେ ୧୦ ମାର୍ଚ୍ଚ ୨୦୦୦ ରୁ ୨୧ ମେ’ ୨୦୦୪ ପର୍ଯ୍ୟନ୍ତ ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିଲେ।
veteran politician sarat kar no more