ଗୁରୁତର ଅବସ୍ଥାରେ ଦାମ ରାଉତ

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, କିଛି ଦିନ ତଳେ ଦାମ ରାଉତ ଅସୁସ୍ଥ ହୋଇଥିଲେ । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ଭର୍ତ୍ତି ହେବା ସମୟରେ ବିଜେଡି ତାଙ୍କ ଉପରେ ଥିବା ନିଲମ୍ବନ ନିର୍ଦ୍ଦେଶକୁ ହଟାଇଥିଲା । ଆଉ ପୁଣି ଥରେ ବିଜେଡିକୁ ଫେରିଥିଲେ । ଆଉ ଏବେ କିଛି ଦିନ ପରେ ପୁଣି ଥରେ ଦାମ ରାଉତଙ୍କ ଦେହ ଖରାପ ହୋଇଛି । ତେବେ ସ୍ୱାସ୍ଥ୍ୟବସ୍ଥା ନେଇ ସଠିକ୍ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ,ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ ଦାମ ରାଉତ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ସାମିଲ ହେବା ପରଠାରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ରହିଥିଲେ । ଦାମୋଦର ରାଉତ ବିଜେଡି ଟିକେଟରେ ୭ ଥର ନିର୍ବାଚନ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନବୀନ ସରକାରରେ ମଧ୍ୟ ମନ୍ତ୍ରୀପଦ ସମ୍ଭାଳିଥିଲେ ଦାମ ରାଉତ ।