ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ପୁରିଲା ଦୁଇବର୍ଷ

ଏହାର ଉଜ୍ୱଳ ଭବିଷତ ପାଇଁ ଆଶାବାଦୀ ପ୍ରବାସୀ ଭାରତୀୟ

ସମ୍ବଲପୁର: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦୁଇ ବର୍ଷ ପୂର୍ବରୁ ଆଜିର ଦିନରେ ଉଦ୍‌ଘାଟିତ ହୋଇଥିଲା । ଏହି ଅବଶରରେ ଦେଶ ବିଦେଶର ବିଶିଷ୍ଟ ଶିଳ୍ପପତି, ଶିକ୍ଷାବିତ୍ ଏବଂ କୁଟନୀତିଜ୍ଞମାନେ ବିମାନବନ୍ଦର ଜରିଆରେ ଓଡିଶାର, ଖାସ କରି ପଶ୍ଚିମ ଓଡିଶାର ଅର୍ଥନୈତିକ ଉନ୍ନତି ଗତିଶୀଳ ହେବ ବୋଲି ଆଶା ଜାହିର କରିଛନ୍ତି । ଗ୍ଲୋବାଲ ଓଡିଆ ଫର ଓଡିଶା ଡେଭେଲପମେଣ୍ଟ – ଗୁଡର ଉଦ୍ୟମ କ୍ରମେ ପ୍ରାବାସୀ ଭାରତୀୟମାନଙ୍କର ମତାମତ ସଂଗ୍ରହ କରାଯାଇଥିଲା । ଏଥିରେ ଦୁବାଇରେ ଅବସ୍ଥାପିତ ଭାରତର କନସଲ ଜେନେରାଲ ଡ. ଅମନ ପୁରୀ କହିଛନ୍ତି ଯେ ଏହି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରି ସରକାର ଲୋକଙ୍କ ବହୁ ପ୍ରତିକ୍ଷିତ ଦାବୀକୁ ପୁରଣ କରିବାରେ ସକ୍ଷମ ହୋଇଛନ୍ତି । ଯେ କୌଣସି ବିମାନବନ୍ଦର ପ୍ରଗତିକୁ ଅଗ୍ରସର କରାଇଥାଏ । ଏହା ଲୋକଙ୍କ ଜୀବନ ଧାରଣ ମାନ ଓ ଅର୍ଥନୈତିକ ଉନ୍ନତିକୁ ଗତିଶୀଳ କରିବ । ଏହି ଆକାଂକ୍ଷିତ ଦାବୀ ନେଇ ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟମାନେ ବିଭିନ୍ନ ସମୟରେ କନସୋଲେଟକୁ ଅନୁରୋଧ କରିଥିଲେ ବୋଲି ଡ. ପୁରୀ ସ୍ମରଣ କରିଥିଲେ । ଆବୁଧାବି ଲୁଲୁ ଗ୍ରୁପ ଇଣ୍ଟରନେସନାଲର ବିପଣନ ନିର୍ଦ୍ଦେଶକ ଭି ନନ୍ଦକୁମାର କହିଛନ୍ତି ଯେ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଓଡିଶାକୁ ପୃଥିବୀର ବ୍ୟବସାୟୀକ ସମ୍ପର୍କର ସ୍ରୋତ ମିଳି ପାରିଛି । ଆବୁଧାବିର ସବୁଠାରୁ ବଡ ଲୁଲୁ ଗ୍ରୁପର ଭି ନନ୍ଦକୁମାର ନିଜେ ରାଉଲକେଲାରେ ରହିଥିଲେ ଓ ସେହି ସମୟର ଅନେକ ଘଟଣା ମନେ ରହିଛି ବୋଲି କହିଛନ୍ତି ।

ଏହି ବିମାନବନ୍ଦର ଦ୍ୱାରା ଆଇ.ଆଇ.ଏମ୍‌. ସମ୍ବଲପୁର ବିଶେଷ ଭାବରେ ଲାଭାନ୍ୱିତ ହୋଇଛି ବୋଲି ଏହାର ନିର୍ଦ୍ଦେଶକ ଡ. ମହାଦେଓ ପ୍ରସାଦ ଜୟସ୍ୱାଲ କହିଛନ୍ତି । ଗତ ବର୍ଷ ଏହା ଦ୍ୱାରା ବହୁ ସଂଖ୍ୟକ ଶିଳ୍ପ ଗୋଷ୍ଠୀର ନିର୍ବାହିମାନଙ୍କୁ ଆଇ.ଆଇ.ଏମ. ଆକର୍ଶିତ କରିବାରେ ସକ୍ଷମ ହେବା ସହିତ ଦେଶ ବିଦେଶର ବିଶେଷଜ୍ଞମାନଙ୍କୁ ନେଇ ୨୦ରୁ ଅଧିକ କର୍ଯ୍ୟକ୍ରମ ଆୟୋଜନ କରିବାରେ ସଫଳ ହୋଇଥିଲା । ବିମାନବନ୍ଦର ଅଞ୍ଚଳର ଉନ୍ନତିରେ ଆଗକୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ସ୍ପାଇସଜେଟ ଏୟାରଲାଇନ୍ସର ମୁଖ୍ୟ ବାଣିଜ୍ୟକ ଅଧିକାରୀ ଶିଳ୍ପା ଭାଟ୍ଟିଆଙ୍କ ମତରେ ଉଡାନ ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଝାରସୁଗୁଡା ସ୍ପାଇସଜେଟ ପାଇଁ ଏକ ବଡ ସୁଯୋଗ ଅଣି ଦେଇଛି । ଏହି ବିମାନବନ୍ଦରରୁ ଭବିଷ୍ୟତରେ ଅଧିକ ମହାନଗରମାନଙ୍କୁ ବିମାନ ଚଳାଚଳ ପାଇଁ ଯୋଜନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି ଯେ କୋଭିଡ ପରିସ୍ଥିତି ସତ୍ତ୍ୱେ ଝାରସୁଗୁଡା ବିମାନବନ୍ଦର ଯାତ୍ରୀ ସେବା ଧିରେ ଧିରେ ଗତିଶୀଳ ହେବାରେ ଲାଗିଛି । ଗତ ଜୁନ ମାସରେ ଏହି ସଂଖ୍ୟ ୮୦୦୦ ଥିବା ବେଳେ ଅଗଷ୍ଟ ମାସରେ ୧୩ ହଜାରରୁ ଅଧିକ ଯାତ୍ରୀ ବିମାନବନ୍ଦରକୁ ଉପଯୋଗ କରିଛନ୍ତି । ସମ୍ପ୍ରତି ବିମାନବନ୍ଦରରେ ସାନିଟାଇଜେସନ ଓ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ଦିଲ୍ଲୀ, କୋଲକତା, ହାଇଦ୍ରାବାଦ, ଭୂବନେଶ୍ୱର ଏବଂ ରାୟପୁରକୁ ଦୈନିକ ଛଅଟି ବିମାନ ଚଳାଚଳ କରୁଛି । ଅକ୍ଟୋବର ଶେଷ ସୁଦ୍ଧା ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ଏଠାରୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାର ପକ୍ରିୟା ଚାଲିଛି  ବୋଲି ସେ ସୂଚନା ଦେଇଛନ୍ତି ।

‘ଗୁଡ’ ସଂଗଠନର ବରିଷ୍ଠ ସଦସ୍ୟ କ୍ୟାପଟେନ ସୋମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂଗଠନ ଜରିଆରେ ନିୟମିତ ଭାବେ ଉଦ୍ୟମ କରାଯାଉଛି । ରାଜ୍ୟରେ ଏହି ଦ୍ୱିତୀୟ ବିମାନବନ୍ଦରର ଜରୁରୀ ଆବଶ୍ୟକତା ରହିଥିଲା । ଏହା ଚରିତାର୍ଥ ଓ ସଫଳ ହେବା ଆନନ୍ଦର ବିଷୟ ବୋଲି ସେ କହିଛନ୍ତି । ସଂଗଠନର ଅନ୍ୟତମ ଉଦ୍ୟୋକ୍ତା ପ୍ରିୟଦର୍ଶୀ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଭଳି ଅନ୍ୟ ସହରମାନଙ୍କର ଉନ୍ନତିର ଆବଶ୍ୟକତା ରହିଛି । ଝାରସୁଗୁଡା ବିମାନବନ୍ଦର ଏହାକୁ ସମ୍ପ୍ରସାରିତ କରି ରାଜ୍ୟର ଉନ୍ନତିରେ ବିଶେଷ ଭାବରେ ସହାୟକ ହେବ । ଝାରସୁଗୁଡା ବିମାନବନ୍ଦର ଦେଶ ଓ ବିଦେଶରୁ ଓଡିଶାକୁ ଆସୁଥିବା ପ୍ରବାସୀମାନଙ୍କୁ ସିଧା ସଳଖ ନିଜ ସହରକୁ ଯିବା ଆସିବା କରିବା ସମୟରେ ଆଉ ଦୀର୍ଘ ସମୟ ଖର୍ଚ୍ଚ କରିବାକୁ ପଡୁନାହିଁ । ରଜତ ରଥ କହିଛନ୍ତି ଯେ ଝାରସୁଗୁଡା ଭଳି ଉତ୍କେଲା, ଜୟପୁର ଓ ରାଉରକେଲା ବିମାନ ବନ୍ଦରକୁ ସବୁଦିନିଆ ବିମାନ ଚଳାଚଳ ସେବା ପାଇଁ ବିକଶିତ କରାଯିବା ଉଚିତ ।

ସୂଚନା ଯୋଗ୍ୟ ଯେ ‘ଗୁଡ’ ପକ୍ଷରୁ ଦୁବାଇରେ ରହୁଥିବା ଓଡିଶାର ପ୍ରବାସୀ ନାଗରୀକମାନେ ଝାରସୁଗୁଡା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବାରେ ଆନ୍ତର୍ଜାତିୟ ସ୍ତରରେ ଉଦ୍ୟମ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁବାଇରେ ଅବସ୍ଥାପିତ ଭାରତର କନସଲ ଜେନେରାଲଙ୍କ ଭଳି କର୍ତ୍ତୁପକ୍ଷଙ୍କୁ ଭେଟି ଏ ନେଇ ଅନୁରୋଧ କରିଥିଲେ ।