ଦିଗ ବଦଳାଇଲା ‘ବାୟୁ’; ସ୍ଥଳଭାଗ ନ ଛୁଇଁ ପାକିସ୍ତାନ ଓ ଓମାନ ଆଡକୁ ମୁହାଁଇଲା

ଗାନ୍ଧୀନଗର: ଗୁଜରାଟ ପ୍ରତି ‘ବାୟୁ’ ବିପଦ ଟଳିଛି। ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡଫଲ କରିବ ନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ‘ବାୟୁ’ ଦିଗ ପରିବର୍ତ୍ତନ କରି ପାକିସ୍ତାନ ଏବଂ ଓମାନ ଆଡ଼କୁ ମୁହାଁଇଛି। ବେରାବଲଠାରୁ ୧୫୦ କିଲୋମିଟର ଦୂରରେ ‘ବାୟୁ’ ଗତିପଥ ପରିବର୍ତ୍ତନ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଭୟଭୀତ ଅବସ୍ଥାରେ ଥିବା ଗୁଜରାଟବାସୀଙ୍କ ସମେତ ରାଜ୍ୟ ସରକାରଙ୍କୁ ଅଶ୍ଵସ୍ତି ମିଳିଛି। ବାତ୍ୟା ପ୍ରଭାବରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଥିଲା। ସେଥିରୁ ଏବେ ଲୋକଙ୍କୁ ତ୍ରାହି ମିଳିଛି। କିନ୍ତୁ ସାମୁଦ୍ରିକ ଝଡ଼ ପ୍ରଭାବରେ ଗୁଜରାଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହା ସହିତ ଉପକୂଳରେ ପବନ ମଧ୍ୟ ବହିବ।

ସୂଚନାଯୋଗ୍ୟ, ଗୁରୁବାର ସକାଳ ପ୍ରାୟ ସାଢ଼େ ୮ଟାରେ ଗୁଜରାଟ ଉପକୂଳରେ ‘ବାୟୁ’ ମାଡ଼ ହେବ ବୋଲି ଆକଳନ କରାଯାଇଥିଲା। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟ ସରକାର ପାଖାପାଖି ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ବାତ୍ୟା ‘ଫନୀ’ ମୁକାବିଲାରେ ଓଡ଼ିଶା ସରକାର ପ୍ରଶଂସା ସାଉଁଟିଥିବାରୁ ଗୁଜରାଟ ସରକାର ମଧ୍ୟ ‘ବାୟୁ’ର ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ।