ଭାରତର ସର୍ବପୁରାତନ ପ୍ରଥମ‌ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ପରଲୋକ

ମୁମ୍ବାଇ: ଶନିବାର ପାହାନ୍ତା ପୂର୍ବରୁ ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୦୦ ବର୍ଷ ବୟସରେ ପଦାର୍ପଣ କରିଥିବା ରାଇଜିଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ବାର୍ଦ୍ଧକ୍ୟ ହେତୁ ରାଇଜିଙ୍କର ମୃତୁ ଘଟିଥିବା କଥା ତାଙ୍କ ଜ୍ୱାଇଁ ସୁନିଶ୍ଚିତ କରିଛନ୍ତି।

ଜ୍ବାଇଁ ସୁଦର୍ଶନ ନାନାବତି ଗଣମାଧ୍ୟମକୁ କହିଛନ୍ତି, ବାର୍ଦ୍ଧକ୍ୟ ଯୋଗୁଁ ରାତି ୨: ୨୦ରେ ଦକ୍ଷିଣ ମୁମ୍ବାଇ ୱାଲ୍‌କେଶ୍ୱର ବାସଭବନରେ ନିଦ୍ରିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରାରମ୍ଭରୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ କାମ କରୁଥିବା ରାଇଜି କ୍ରିକେଟ୍ ପ୍ରତି ଥିବା ଶ୍ରଦ୍ଧାକୁ ଅଣହେଳା କରି ପାରି ନ ଥିଲେ। ୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ଦଶନ୍ଧିର କ୍ୟାରିଅର୍ ମଧ୍ୟରେ  ୬୮ଟି ବଲ୍‌ ଖେଳି ୨୭୭ ରନ୍ କରି ସେ ରେକର୍ଡ କରିଥିଲେ।

୧୯୩୯ରେ ରାଇଜି ନାଗପୁରରେ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଟିମ୍‌ରେ ସେଣ୍ଟ୍ରାଲ୍ ପ୍ରୋଭିନ୍‌ସେସ୍ ଆଣ୍ଡ୍ ବିଅରର୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ପ୍ରଥମ ଇନିଙ୍ଗ୍ସରେ ଡକ୍ ଯୋଗୁଁ ଡିସ୍‌ମିସ୍ ହେବାରୁ ରାଇଜି ତାଙ୍କର ସର୍ବପ୍ରଥମ ମ୍ୟାଚ୍‌କୁ ସ୍ମରଣୀୟ କରିପାରି ନ ଥିଲେ। ୧ ରନ୍ କରି ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ସେ ବାହାରି ଯାଇଥିଲେ।

୧୯୪୧ରେ ସେ ମୁମ୍ବାଇରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ତାଙ୍କ ଟିମ୍ ୱେଷ୍ଟର୍ଣ୍ଣ ଇଣ୍ଡିଆର ନେତୃତ୍ବ ନେଇଥିଲେ ବିଜୟ ମର୍ଚାଣ୍ଟ୍। ରାଇଜି ୧୩ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବମ୍ବେ ଜିମ୍‌ଖାନାରେ ପ୍ରଥମେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

ଜାନୁଆରି ମାସରେ ୧୦୦ ବର୍ଷରେ ପଦାର୍ପଣ କରିଥିବା ରାଇଜିଙ୍କୁ ତାଙ୍କ ବାସଭବନରେ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆର ପୂର୍ବତନ ସ୍କିପର୍ ଷ୍ଟେଭ୍ ୱଗ୍ ସୌଜନମୂଳକ ସାକ୍ଷାତ୍ କରିଥିଲେ। ଆଜି ଅପରାହ୍ଣରେ ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯିବ।