ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ,ଏଣିକି ମୋବାଇଲ୍ ଆପ୍ ମାଧ୍ୟମରେ ଜମି ଖଜଣା, ଅନଲାଇନରେ ମିଳିବ ସାର୍ଟିଫିକେଟ୍

ଏଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର : ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ ମିଳିପାରିବ। ଏହାସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି।
ଆଜି ଲୋକସେବା ଭବନରେ ମୋବାଇଲ୍ ପାଉତି ଆପ୍ ଓ ଇ-ସାଟିଁଫିକେଟ୍ ପ୍ରଦାନ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ଫାଇଭ-ଟି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ। ଆୟ, ବାସସ୍ଥାନ ଓ ଅନ୍ୟାନ୍ୟ ସାର୍ଟିଫିକେଟକୁ ହିତାଧିକାରୀଙ୍କ ଆତ୍ମଘୋଷିତ ତଥ୍ୟ ଆଧାରରେ ପ୍ରଦାନ କରାଯିବ ।

ଏସବୁ ସାର୍ଟିଫିକେଟ୍ ମାଗଣାରେ ଯୋଗାଇ ଦିଆଯିବ। ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଓ ପ୍ରାପ୍ୟ ପାଇବା ନିମନ୍ତେ ଉତ୍ତରାଧିକାରୀ ସାର୍ଟିଫିକେଟ୍ (ଲିଗାଲ୍ ହେୟାର) ଆବଶ୍ୟକତା ପଡ଼ିବ ନାହିଁ। କର୍ମଚାରୀଙ୍କ ସର୍ଭିସ ବୁକରେ ଥିବା ତଥ୍ୟ ଅନୁସାରେ ସେମାନଙ୍କର ଉତ୍ତରାଧିକାରୀମାନେ ସବୁପ୍ରକାରର ସୁବିଧା ପାଇପାରିବେ। ପେନସନ, ଫ୍ୟାମିଲି ପେନସନ, ଗ୍ରାଚୁଇଟି ଆଦି ସୁବିଧା ଉତ୍ତରାଧିକାରୀ ପାଇବାକୁ ହକଦାର ହେବେ।

. ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ହେଉ କି ଚାକିରି ପାଇଁ ହେଉ, ଆବେଦନକାରୀମାନେ ସେମାନଙ୍କ ଜାତି ଏବଂ ଘର ସମ୍ପର୍କରେ   ଆବେଦନପତ୍ରରେ କେବଳ ଉଲ୍ଲେଖ କରିବେ । ଯୋଗ୍ୟ ବିବେଚିତ ହେଲା ପରେ ଯାଇ ଯାଞ୍ଚ ବେଳେ ଏହି ସବୁ ସାର୍ଟିଫିକେଟ୍ ଦାଖଲ କରିବେ ।
. ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସିଏଲସି ପ୍ରଦାନ ବେଳେ ଜାତି(ଏସଟି/ଏସସି) ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
. ଲାଇସେନସ୍ ପ୍ରଦାନ ପାଇଁ କୌଣସି ବିଭାଗ ସଲଭେନ୍ସୀ ସାର୍ଟିଫିକେଟ୍ ଦାବି କରିପାରିବେନି । ତା ବଦଳରେ ଆଇଟି ରିଟର୍ଣ୍ଣସ୍, ବ୍ୟାଙ୍କ ଗ୍ୟାରେଣ୍ଟି ଆଦି ମାଗିବେ ।
. ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ପରିବାର ପ୍ରାପ୍ୟ ପାଇବା ପାଇଁ ଲିଗାଲ୍ ହେୟାର ବା ଉତ୍ତରାଧିକାରୀ ସାର୍ଟିଫିକେଟ୍ ର ଆବଶ୍ୟକତା ରହିବ ନାହିଁ । କର୍ମଚାରୀଙ୍କ ସର୍ଭିସ୍ ବୁକ୍ ର ଏଣ୍ଟ୍ରି ଅନୁଯାୟୀ ସେମାନଙ୍କ ଉତ୍ତରାଧିକାରୀମାନେ ସବୁପ୍ରକାର ସୁବିଧା ପାଇପାରିବେ ।
. କୌଣସି ସାର୍ଟିଫିକେଟ୍ ପାଇଁ ୟୁଜର୍ସ ଫି ଦେବାକୁ ପଡ଼ିବନି ।

ଏହି ନୂଆ ବ୍ୟବସ୍ଥା ଅନୁସାରେ, ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଏଣିକି ଚାକିରି ପାଇଁ ଆବେଦନ ସମୟରେ ଆବେଦନକାରୀଙ୍କ ଜାତିଗତ ଓ ବାସସ୍ଥାନର ଆତ୍ମଘୋଷିତ ପ୍ରମାଣପତ୍ରକୁ ଗ୍ରହଣ କରିବେ। ଆବେଦନକାରୀ ଯଦି ଚାକିରି ପାଇଁ ପ୍ରାରମ୍ଭିକ ଭାବେ ଯୋଗ୍ୟ ବିବେଚିତ ହୁଅନ୍ତି ତା’ହେଲେ ପରବର୍ତ୍ତୀ ସମୟରେ ଯାଞ୍ଚବେଳେ ସେସବୁ ସାଟିଫିକେଟ୍ ଦାଖଲ କରିବାକୁ କୁହାଯାଇପାରିବ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଆବେଦନକାରୀଙ୍କୁ ଅନୁରୂପ ସୁବିଧା ମିଳିବ। ଦଶମ ଶ୍ରେଣୀ ପରୀକ୍ଷା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ସହ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଜାତିଗତ ପ୍ରମାଣପତ୍ର ମିଳିବ।

ଷ୍ଟୋରେଜ୍ ଏଜେଣ୍ଟ, ମଦ ଲାଇସେନ୍ସ ନବୀକରଣ, ଖଣି ଲିଜ୍ ଆଦି ସମୟରେ କୌଣସି ବିଭାଗ ଏଣିକି ସଲଭେନ୍ସି ସାର୍ଟିଫିକେଟ୍ ମାଗିପାରିବେ ନାହିଁ।
ସେହିପରି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ ଯେ ଆଗାମୀ ଦିନରେ ବିବାହ ପ୍ରମାଣପତ୍ର ସମେତ ଅନ୍ୟାନ୍ୟ ସୁବିଧା କିପରି ଲୋକମାନେ ସହଜରେ ପାଇପାରିବେ ସେ ସମ୍ପର୍କରେ ମତାମତ ଦେବା ପାଇଁ ଜିଲ୍ଲାପାଳ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି।