ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ବୈଷ୍ଣୋଦେବୀ ଧାମ ପାଇଁ କିଛି ଦିନ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚାଲିବ । ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଭଲ ସୁବିଧା ହେବ । କାରଣ ଏହି ମାର୍ଗ ବହୁତ ବ୍ୟସ୍ତ ଥିବାରୁ ବୈଷ୍ଣୋଦେବୀକୁ ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କୁ ବହୁତ ସମୟ ଲାଗିଥାଏ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି ଯେ, ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଆସନ୍ତା ସପ୍ତାହରୁ ନବରାତ୍ରୀ ଆରମ୍ଭ ହୋଇଯିବ ।

ଗତ ବର୍ଷ ଜମ୍ମୁ ନିକଟସ୍ଥ କଟରାସ୍ଥିତ ବୈଷ୍ଣୋଦେବୀ ଧାମକୁ ୮୬ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚିଥିଲେ, ଯାହାକି ୨୦୧୩ ପରେ ତୀର୍ଥଯାତ୍ରୀଙ୍କ ସବୁଠାରୁ ଅଧିକ ସଂଖ୍ୟା ଥିଲା । ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଚଳିତ ବର୍ଷ ଏଯାଏଁ ୬୦ ଲକ୍ଷ ଯାଏଁ ଶ୍ରଦ୍ଧାଳୁ ଆସିଛନ୍ତି । ଏମାନେ ଅଧିକାଂଶ ଜମ୍ମୁ ଓ କଟରା ଆସୁଥିବା ଟ୍ରେନ ଉପରେ ଭରସା ରଖିଥାନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପରେ ଦିଲ୍ଲୀରୁ କଟରା ଦୂରତା ୪ ଘଣ୍ଟା କମ ହୋଇ ଆଠ ଘଣ୍ଟା ହୋଇଯିବ । ଫଳରେ ଶ୍ରଦ୍ଧାଳୁଙ୍କର ସଂଖ୍ୟା ଅଧିକ ରହିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଜୁଲାଇରେ କଟରାକୁ ନୂଆ ରେଳଲାଇନ ଦେଇଥିଲେ । ଏଠାରୁ ଶ୍ରଦ୍ଧାଳୁ ବୈଷ୍ଣୋଦେବୀ ଯାତ୍ରା କରିପାରିବେ । ଏହା ପୂର୍ବରୁ କଟରା କେବଳ ଜମ୍ମୁ ଓ ଉଦ୍ଦାମପୁର ସହିତ ସଡ଼କ ପଥରେ ଯୋଡ଼ି ହୋଇଥିଲା । ଏହା ପରେ ମୋଦୀ ସରକାର ଦିଲ୍ଲୀରୁ କଟରା ପାଇଁ ନୂଆଁ ଟ୍ରେନ ‘ଶ୍ରୀ ଶକ୍ତି ଏକ୍ସପ୍ରେସ’ ଆରମ୍ଭ କରିଥିଲେ । ଏବେ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଚିନ୍ତା କରାଯାଉଛି ।