ଖୁବଶୀଘ୍ର ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଯୁବକଙ୍କୁ ମିଳିବ ସୁଯୋଗ

ଲକ୍ଷ୍ନୌ: ବର୍ତ୍ତମାନର ଉତ୍ତର ପ୍ରଦେଶ ସରକାର ସାଢେ ୩ ବର୍ଷ ପୂରଣ କରିଲାଣି । ଆଉ ଦେଢ ବର୍ଷ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନକୁ ପାଖାପାଖି ୨ ବର୍ଷ ଥିଲେ ମଧ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ରାଜନୈତିକ ଦଳ । ବିଶେଷ କରି ରାଜ୍ୟରେ ଏବେ ବ୍ରାହ୍ମଣ ସମାଜକୁ ନେଇ ବଡ ମୁଦ୍ଦା ହେବାକୁ ଯାଉଛି । ଯାହାକୁ ନେଇ ବିରୋଧୀ ଏବେ ଯୋଗୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀ ମନ୍ତ୍ରୀମଣ୍ଡଳ ବିସ୍ତାର କରିବା ସୁ-ନିଶ୍ଚିତ । ମନ୍ତ୍ରୀମଣ୍ଡଳ ବିସ୍ତାର କରି ସମସ୍ତ ସମ୍ପପ୍ରଦାୟ ମଧ୍ୟରେ ସନ୍ତୁଳନ ରଖିବା ପାଇଁ କସରତ ଆରମ୍ଭ ହୋଇଛି ।

ବିଜେପି ସୂତ୍ର ଅନୁସାରେ ଅକ୍ଟୋବର ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବିସ୍ତାର କରିବାକୁ ଚାହୁଁଛନ୍ତି । ଏହାସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିସ୍ତାର ଓ ଅଦଳବଦଳକୁ ଦେଖି ୟୁପି ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇପାରେ । ଏହାବାଦ ଯୋଗୀଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ କମଳା ରାଣୀ ଓ ଚେତନ ଚୌହ୍ୱାନଙ୍କ କରୋନାରେ ନିଧନ ପରେ ଉଭୟଙ୍କ ବିଭାଗ ଖାଲି ପଡିଛି । ସେହିପରି ପୂର୍ବରୁ ମଧ୍ୟ ୪ ଟି ବିଭାଗରେ ମନ୍ତ୍ରୀ ନାହାଁନ୍ତି ।

ସୂଚନାଯୋଗ୍ୟଯେ ଉତ୍ତର ପ୍ରଦେଶରେ ବିଧାୟକଙ୍କ ସଂଖ୍ୟା ୪୦୩ ଥିବା ବେଳେ ସେହି ହିସାବରେ ମନ୍ତ୍ରୀମଣ୍ଡଳରେ ୬୦ ଜଣ ରହିପାରିବେ । ଯୋଗୀ ସରକାର ଗତବର୍ଷ ୨୧ ଅଗଷ୍ଟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଥିଲେ । ୨୩ ମନ୍ତ୍ରୀ ଶପଥ ନେଇଥିଲେ ଯେଉଁଥିରେ ୧୮ ଜଣ ସଦସ୍ୟ ନୂଆ ଥିଲେ । ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ ୫୬ ଜଣ ଥିବାବେଳେ ୪ ଟି ଖାଲି ରହିଥିଲା । ପୁଣି ୨ ମନ୍ତ୍ରୀଙ୍କ ନିଧନ ହେବାପରେ ଏହା ୫୪ କୁ ଖସିଆସିଛି । ଅର୍ଥାତ ବର୍ତ୍ତମାନ ୬ ଟି ବିଭାଗ ମନ୍ତ୍ରୀ ଶୁନ୍ୟ ରହିଛି ।

ଏବେ ୟୁପି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଥିବା ବେଳେ ଯୋଗୀଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ମଧ୍ୟ ଯୋରଦାର ଅଙ୍କକଷା ଆରମ୍ଭ ହୋଇଛି । ଯଦି ଏହା ହୁଏ ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଏହା ଶେଷ କ୍ୟାବିନେଟ ସମ୍ପ୍ରସାରଣ ହେବ । ଦଳୀୟ ଆକଳନ ଅନୁସାରେ ଯୋଗୀ କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ଦେଇପାରନ୍ତି । ଏହାସହ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ । ସେହିପରି ବୟସାଧିକ କାରଣରୁ କିଛି ମନ୍ତ୍ରୀଙ୍କୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଯୁବ ବିଧାୟକଙ୍କୁ ସୁଯୋଗ ମିଳିବ । ଉଭୟ ଯୁବ ଓ ଦକ୍ଷତା ଅନୁସାରେ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ ।