“ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଏ ଜାତିର ପ୍ରାତଃସ୍ମରଣୀୟ: ଚିରନମସ୍ୟ”

ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳର ଗର୍ବ ଓ ଗୌରବର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ମାନବସେବା ଯାହାଙ୍କର ଥିଲା ପରମ ବ୍ରତ, ସ୍ୱଦେଶ ପ୍ରୀତି ଓ ବିଶ୍ୱପ୍ରୀତି ଓ ଜାତିମୁକ୍ତି ପାଇଁ ଜାତୀୟ ମହାଯଜ୍ଞରେ ନିଜକୁ ଆହୂତି ଦେଇଥିବା ଉତ୍କଳମଣି ଜାତିପ୍ରାଣ ପୁଣ୍ୟଶ୍ଳୋକ ଗୋପବନ୍ଧୁ ଦାସ ଯୁଗେ ଯୁଗେ ଏ ଜାତିର ଚିରନମସ୍ୟ ବୋଲି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

utkal mini pandit gopabandhu das jayanti
ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ଦରଦୀ ମଣିଷ ଥିଲେ । ଓଡ଼ିଶାର ହୃଦୟରେ ସେ ସର୍ବଦା ରହିଛନ୍ତି । ଗାନ୍ଧିଜୀଙ୍କର ଗୋପବନ୍ଧୁଙ୍କ ସହ ନିବିଡ଼ ସଂପର୍କ ରହିଥିଲା । ବି୍ରଟିଶ ଶାସନ ସମୟରେ ଓଡ଼ିଶା ସର୍ବହରା ହୋଇଥିବାବେଳେ ଗୋପବନ୍ଧୁ, ମଧୁବାବୁଙ୍କ ପରି ମହାମାନବମାନଙ୍କ ଆବିର୍ଭାବ ଯୋଗୁଁ ଓଡ଼ିଶା ପ୍ରଦେଶ ଆଜି ସୁଦୃଢ଼ ହୋଇଛି । ଆଜି ଗୋପବନ୍ଧୁଙ୍କର ସ୍ୱପ୍ନ ସାକାର ହୋଇପାରିଛି, କାରଣ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ସମଗ୍ର ବିଶ୍ୱରେ ପ୍ରଶଂସାର ପାତ୍ର ହୋଇପାରିଛି ।
ସମ୍ମାନିତ ବକ୍ତା ଭାବେ ଯୋଗଦେଇ ‘ଓଡ଼ିଶା ରିଭୁ୍ୟ’ ଏବଂ ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଡକଫର ଲେନିନ୍‌ ମହାନ୍ତି କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ନିଜଠାରୁ ବଳି ସମାଜକୁ ସବୁବେଳେ ଅଧିକ ଭଲପାଉଥିଲେ । ରାଷ୍ଟ୍ର ତଥା ବିଶ୍ୱକୁ ଭଲ ପାଉଥିବା ସେହି ମହାମାନବ ସେବାର ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ବିଜୟ କୁମାର ନାୟକ ନିଜର ବକ୍ତବ୍ୟରେ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଅସ୍ମିତା ତଥା ଗର୍ବ ଓ ଗୌରବର ପ୍ରତୀକ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସେ ଆଦର୍ଶ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଓଡ଼ିଆ ଅସ୍ମିତା ସହ ମହାଭାରତୀୟ ଚେତନାରେ ଓଡ଼ିଶାକୁ ଉଦ୍‌ବୁଦ୍ଧ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ସେବାକୁ ଜୀବନର ପରମ ବ୍ରତ ଭାବରେ ଗ୍ରହଣ କରି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଜନକଲ୍ୟାଣରେ ନିଜକୁ ଉତ୍ସର୍ଗ କରିଥିଲେ । ମାନବସେବା, ତଥା ଶିକ୍ଷା, ସାହିତ୍ୟ, ସାମ୍ବାଦିକତା ପ୍ରତ୍ୟେକ କ୍ଷେତ୍ରରେ ସେ ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସହ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଜୟନ୍ତୀ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳେ ୟୁନିଟ୍‌-୮ସ୍ଥିତ ଗୋପବନ୍ଧୁ ଛକଠାରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ପରିଡ଼ା, ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।