କଟକ : ବହୁ ଚର୍ଚ୍ଚିତ ଉଷାଶ୍ରୀ ପରିଡ଼ା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ଡାକ୍ତର ସୋମନାଥ ପରିଡ଼ାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଏଏସସି କରୁଣାକର ନାୟକ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩, ଜୁନ ୩ରେ ନୟାପଲ୍ଲୀ ଅଞ୍ଚଳ ବାସିନ୍ଦା ଡାକ୍ତର ସୋମନାଥ ପରିଡ଼ା ନିଜ ପତ୍ନୀ ଉଷାଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ୨ଶହ ଖଣ୍ଡ କରି ଷ୍ଟିଲ କଣ୍ଟେନର ମଧ୍ୟରେ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜୁନ ୨୧ରେ ଏହି ଘଟଣା ସାମ୍ନାକୁ ଆସିଥିଲା। ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ କରି ଆଇପିସି ୩୦୨, ୨୦୧ ଦଫାରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୩, ଅକ୍ଟୋବର ୧୭ରେ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୁଲିସ ୭୦ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲା। ୨୦୧୪, ଫେବୃଆରିରେ ଏହି ମାମଲାର ଶୁଣାଣି ଜିଲ୍ଲା ଦୌରା ଜଜ ଅଦାଲତରେ ଆରମ୍ଭ ହୋଇଥିଲା। ନିମ୍ନ ଅଦାଲତରେ ଡାକ୍ତର ପରିଡାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।