ହ୍ଵାଇଟ୍ ହାଉସ୍ ନିକଟରେ ଆଖିବୁଜା ଗୁଳିବର୍ଷା, ୧ ମୃତ ୫ ଗୁରୁତର

ୱାସିଙ୍ଗଟନ୍ :ଆମେରିକାର ରାଜଧାନୀ ୱାସିଙ୍ଗଟନରେ ସ୍ଥାନୀୟ ସମୟ ମୁତାବକ ରାତି ୧୦ଟାରେ ଅଖିବୁଜା ଗୁଳିବର୍ଷା ହୋଇଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ହ୍ଵାଇଟ ହାଉସର କିଛି ମିଟର ଦୂରରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡ ଘଟିଥିବା ସ୍ଥାନରେ ସ୍ଥାନୀୟ ପୁଲିସ ପହଁଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ବନ୍ଦ କରି ଦେଇଛି। ପୁଲିସ ଏବେ ମଧ୍ୟ ଗୁଳି କରିଥିବା ଲୋକକୁ ତଲାଶ କରୁଛି।

ରାଜଧାନୀର ସଡକରେ ବିଳମ୍ବିତ ରାତ୍ରୀରେ ଗୁଳିକାଣ୍ଡ ଘଟିଥିଲା। ଏହି ଆକ୍ରମଣରେ ଆହତ ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ୱାସିଙ୍ଗଟନର ନର୍ଥ ୱେଷ୍ଟ କଲମ୍ବିଆ ରୋଡରେ ଗୁଳିକାଣ୍ଡ ଘଟିଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି।

ସମାଚାର ସଂସ୍ଥା ରାୟଟର୍ସ ମୁତାବକ, ଯେଉଁ ସ୍ଥାନରେ ଗୁଳି ଫୁଟିଥିଲା ସେହି ସ୍ଥାନ ଆମେରିକାର ରାଷ୍ଟ୍ରପତି ନିବାସ ଠାରୁ ମାତ୍ର ୩କିମି ଦୂର। ତେବେ ଆମେରିକାରେ ଏଭଳି ଗୁଳିକାଣ୍ଡ ବହୁ ଥର ଘଟିଛି।