ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ମୋଦୀଙ୍କ ସାଙ୍ଗରେ ରହିବେ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ । ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଉପସ୍ଥିତ ରହିବା ନେଇ ପୂର୍ବରୁ ଯେଉଁ ସନ୍ଦେହ କରାଯାଉଥିଲା, ତାହାର ଅନ୍ତ ଘଟିଛି । ଶେଷରେ ହ୍ୱାଇଟ ହାଉସ ପକ୍ଷରୁ ରବିବାର ସୁନିଶ୍ଚିତ କରିବା ପରେ କୁହାଯାଇଛି ଯେ, ମୋଦୀଙ୍କ କାର୍ଯ୍ୟକ୍ରମରେ ଟ୍ରମ୍ପ ସକ୍ରିୟ ରହିବେ । ଆଧୁନିକ ଇତିହାସରେ ଏହା ପ୍ରଥମ ଘଟଣା ହେବ ଯେ, ବିଶ୍ୱର ୨ଟି ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶର ନେତା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଯୁଗ୍ମ ରାଲିକୁ ସମ୍ବୋଧିତ କରିବେ । ସୂଚନାଯୋଗ୍ୟ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୨ରେ ହେବ । 

ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଇଣ୍ଡୋ-ଆମେରିକୀୟ ଲୋକ ଉପସ୍ଥିତ ରହିବାର ଆଶା ଦେଖାଯାଉଛି । ଏଯାଏଁ ଏତିକି ପଂଜିକରଣ ହୋଇଛି । ଏବାବଦରେ ହ୍ୱାଇଟହାଉସର ମିଡିଆ ସଚିବ ଷ୍ଟୋଫିନି ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ଓ ଟ୍ରମ୍ପଙ୍କ ଏହି ଯୁଗ୍ମ ରାଲି ଭାରତ ଓ ଆମେରିକାର ସଂପର୍କକୁ ମଜବୁତ କରିବ ।  

କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଆମେରିକୀୟ ସାଂସଦ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ସ୍ୱାଗତ ପାଇଁ ପ୍ରଥମ ହିନ୍ଦୁ ସାଂସଦ ତୁଲସୀ ଗବାଇ ଓ ଭାରତବଂଶୀ ସାଂସଦ ରାଜା କୃଷ୍ଣାମୂର୍ତ୍ତି ମଧ୍ୟ ସାମିଲ ରହିବେ ।  କାର୍ଯ୍ୟକ୍ରମର ଆୟୋଜନ ସହ ଜଡ଼ିତ ଆଇଟି କଂପାନୀ ‘ଏକ୍ସପିଡିୟନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ ଅଗ୍ରୱାଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବିଭିନ୍ନ ରାଜ୍ୟର ଗଭର୍ଣ୍ଣର ଓ ଉଭୟ ଗୃହର ସାଂସଦ ଭାରତୀୟ-ଆମେରିକୀୟ ସଂପ୍ରଦାୟ ଦ୍ୱାରା ସେପ୍ଟେମ୍ବର ୨୨ରେ ଏନଆରଜି ଷ୍ଟାଡିୟମରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏଥିରେ ରେକର୍ଡ ୫୦ ହଜାର ଦର୍ଶକ ଉପସ୍ଥିତ ରହିବେ ।

ଅଗ୍ରୱାଲ କହିଛନ୍ତି, ‘ଏହା ଆମେରିକାରେ ଏଯାଏଁ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମ ହେବ, କାରଣ ଭାରତୀୟ-ଆମେରିକୀୟ ମୁଖ୍ୟଧାରାର ଆମେରିକୀୟ, ସାଂସଦ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ଜାଣିବାକୁ ଆଗ୍ରହ ରଖିଛନ୍ତି । ଏଥିରେ ସାମିଲ ହେଉଥିବା ସାଂସଦମାନେ ହେଲେ ଜନ କରିନ, ଟେଡ କୃଜ, ଏଲ ଗ୍ରୀନ, ପିଟେ ଓଲ୍ସନ, ଶୀଲା ଜ୍ୟାକସନ ଲି, ସିଲଭିଆ ଗ୍ରୋସିଆ, ଗ୍ରେଟ ଏବାର୍ଟ, ସିଣ୍ଡି ହେଡନ-ସ୍ମିଥ, ଏମି ବେରା, ବ୍ରାୟନ ବେବିନ, ରାଜା କୃଷ୍ଣମୂର୍ତ୍ତି, ତୁଲସି ଗବାଇ, ବ୍ରାଡ ଶେରମନ ଓ ନ୍ୟୁୟର୍କ ଗଭର୍ଣ୍ଣର ଏଲିୟଟ ଏଞ୍ଜେଲ ।