ପ୍ରଥମ ଥର ପାଇଁ ଟ୍ରମ୍ପ ପିନ୍ଧିଲେ ମାସ୍କ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ ସୈନ୍ୟଙ୍କୁ ଦେଖିବାକୁ ୱାଲଟର ରିଡ୍ ମିଲିଟାରି ହସ୍ପିଟାଲ ଯାଇଥିବା ବେଳେ ଟ୍ରମ୍ପ କଳା ରଙ୍ଗର ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ପୂର୍ବରୁ ହ୍ୱାଇଟ୍ ହାଉସରେ ଟ୍ରମ୍ପ କହିଥିଲେ ମୁଁ କେବେ ବି ମାସ୍କ ବିରୋଧରେ ନାହିଁ। କିନ୍ତୁ ଉପଯୁକ୍ତ ସ୍ଥାନ ଓ ସମୟରେ ମାସ୍କ ପିନ୍ଧିବାରେ ମୁଁ ବିଶ୍ୱାସ କରେ।

ଆଗରୁ ବିଭିନ୍ନ ସମାବେଶ, ସାମ୍ବାଦିକ ସମ୍ମିଳନୀ ଗୁଡ଼ିକରେ ଟ୍ରମ୍ପ ମାସ୍କ ପିନ୍ଧୁନଥିଲେ। ଏମିତିକି ହ୍ୱାଇଟ୍ ହାଉସରୁ ପଜିଟିଭ୍ କେସ୍ ବାହାରିବା ପରେ ମଧ୍ୟ ସେ ମାସ୍କ ପିନ୍ଧୁନଥିଲେ। ତେଣୁ ବର୍ତ୍ତମାନ ଟ୍ରମ୍ପ ମାସ୍କ ପିନ୍ଧିବାକୁ ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଆମେରିକାରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା। ଗଲା କିଛି ଦିନ ଲଗାତାର ଦୈନିକ ୬୦ ହଜାର ଉପରେ ନୂଆ କରୋନା ମାମଲା ସମ୍ନାକୁ ଆସୁଛି। ଏଠାରେ ଲକ୍ଷେ ୩୫ ହଜାରରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ନେଲାଣି କରୋନା।