ଅହମଦାବାଦ: ନମସ୍ତେ..ନମସ୍ତେରୁ ଅଭିବାଦନ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦି ମୋର ପ୍ରକୃତ ବନ୍ଧୁ । ଭାରତକୁ ଅଗ୍ରଗତି କରିବାରେ ମୋଦିଙ୍କ ଭୂମିକା ଅତୁଳନୀୟ । ଦେଶ ପାଇଁ ତାଙ୍କର ଅହରହ ଉଡଦ୍ୟମ ଆଜି ବାସ୍ତବରେ ପ୍ରମାଣିତ ହୋଇଥିବା କହିଛନ୍ତି ଟ୍ରମ୍ପ । ଏହା ସହ ମୋଦିଙ୍କ ସଙ୍ଘର୍ଷମୟ ଜୀବନୀ କୁ ମଧ୍ୟ ପ୍ରକାଶ କରିଛନ୍ତି ଟ୍ରମ୍ପ ।
ମୋଟେରାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଅଭିବାଦନ ଦେବା ଅବସରରେ ସେ କହିଛନ୍ତି, ଭାରତ ପ୍ରଗତି ପାଇଁ ବ୍ୟକ୍ତିଗତ ଭାବରେ ମୁଁ ଗର୍ବିତ । ଆଜି ଭାରତରେ ୩୨୦ ନିୟୁତ ଲୋକ ଇଂଟରନେଟ୍ ସହିତ ଯୋଡ଼ି ହୋଇଛନ୍ତି । ବିଶ୍ବରେ ଭାରତ ଅର୍ଥନୈତିକ ସ୍ତରରେ ଅଭିବୃଦ୍ଧି କରୁଛି ଏବଂ ସାରା ବିଶ୍ବରେ ଭାରତର ଗଣତନ୍ତ୍ର ଉଦାହରଣ ପାଲଟିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଅଭିବାଦନରେ ଭାରତର ପ୍ରତିଟି କ୍ଷେତ୍ରକୁ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି ଟ୍ରମ୍ପ ।
ସମଗ୍ର ବିଶ୍ବରେ ଶାନ୍ତି, ମୈତ୍ରୀ ଓ ଯୁବଶକ୍ତିଙ୍କ ପ୍ରେରଣା ସାଜିଥିବା ସ୍ବାମୀ ବିବେକାନନ୍ଦ, ଅହିଂସାର ବାର୍ତା ବାଂଟିଥିବା ପରମ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ସ୍ମରଣ କରିଥିଲେ ଟ୍ରମ୍ପ । ଏହାସହିତ ଭାରତର ସିନେମା କ୍ଷେତ୍ର ଏବଂ କ୍ରିକେଟ କ୍ଷେତ୍ରକୁ ଅଭିବାଦନରେ ଉଲ୍ଲେଖ କରିବା ସହ ଉଦାହରଣ ମଧ୍ୟ ଦେଇଛନ୍ତି ।