ସ୍ୱଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶା ପ୍ରଶଂସିତ

ଭୁବନେଶ୍ୱର: ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି । ଗତବର୍ଷ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡିଶାର ସ୍ଥାନ ୧୭ତମ ରହିଛି ।

ଇତି ମଧ୍ୟରେ ପୌରାଞ୍ଚଳରେ ୧,୩୨,୫୨୪ ଟି ବ୍ୟକ୍ତିଗତ ପାଇଖାନା, ୫୨୧୩ ଗୋଷ୍ଠି ପାଇଖାନା ଓ ୪୪୨୧ଟି
ସର୍ବସାଧାରଣ ପାଇଖାନା ନିର୍ମାଣ ହୋଇଛି । ସ୍ୱଚ୍ଛଭାରତ ମିଶନରେ ଥିବା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଏହି ସଂଖ୍ୟା ଅଧିକ ରହିଥିବାବେଳେ ଗୁଗୁଲମ୍ୟାପରେ ଏହା ଉପଲବ୍ଧ । ବ୍ରହ୍ମପୁର ମହାନଗର ନିଗମ କେନ୍ଦ୍ର ସରକାରଙ୍କ ଓଡିଏଫ୍‍ ++ ପ୍ରମାଣପତ୍ର ପାଇଥିବାବେଳେଏବେ ଏହି ପୌରସଂସ୍ଥା ଆବର୍ଜନାମୁକ୍ତ ସହର ଲାଗି ୩ଷ୍ଟାର ପ୍ରମାଣପତ୍ର ପାଇଁ ଆବେଦନ କରିଛି । ଯାଜପୁର, କରଞ୍ଜିଆ, ତରଭା ଓ ପାରାଦୀପ ଭଳି ଚାରିଟି ପୌରସଂସ୍ଥା ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ପୁରସ୍କୃତ ହୋଇଛି । ୮୬ ପୌରସଂସ୍ଥା ଓଡିଏଫ୍‍++ ବର୍ଗରେ ସାମିଲ ଲାଗି ଆବେଦନ କରିଥିବାବେଳେ
୩୩୩ ଟି ସର୍ବସାଧାରଣ ଏବଂ ଗୋଷ୍ଠି ପାଇଖାନା ଆଇଏସ୍‍ଓ ପ୍ରମାଣପତ୍ର ଲାଭ କରିଛି । ଏହାବ୍ୟତିତ ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ପାଇଁ ରାଜ୍ୟ ସରକାର ଓଡିଶା ସହରାଞ୍ଚଳ ପରିମଳ ନୀତି ଏବଂ ଓଡିଶା ସହରାଞ୍ଚଳ ପରିମଳ ଷ୍ଟ୍ରାଟେଜି ବିଜ୍ଞପ୍ତି ଜାରି କରିଛନ୍ତି ।

ଓଡିଏଫ୍‍ ମାନ୍ୟତା ପାଇଲାପରେ ବର୍ତ୍ତମାନ ସମସ୍ତ ପୌରସଂସ୍ଥା ଓଡିଏଫ୍‍++ ମାନ୍ୟତା ପାଇବାଲାଗି ମଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ ଚଳାଇଛନ୍ତି । ଏବେ ସୁଦ୍ଧା ୧୦ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିବାବେଳେ ୫୨ଟିର ନିର୍ମାଣକାର୍ଯ୍ୟ ଜାରି ରହିଛି । ଓଡିଶାର ଏଭଳି ପଦକ୍ଷେପକୁ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ ସହିତ ଅନ୍ୟ ରାଜ୍ୟରେ ଅନୁରୂପ ପ୍ଲାଣ୍ଟ ନିର୍ମାଣ ପାଇଁ ପରାମର୍ଶ ଦେଇଛନ୍ତି ।

ସହରାଞ୍ଚଳରେ ଥିବା ଅଧାରୁ ଅଧିକ ସର୍ବସାଧାରଣ ଓ ଗୋଷ୍ଠି ପାଇଖାନା ଆଇଏସ୍‍ଓ ୯୦୦୧:୨୦୧୫ ସାର୍ଟିଫିକେଟ ହାସଲ କରିଥିବାବେଳେ ଆଗାମୀ କିଛିମାସ ମଧ୍ୟରେ ସମସ୍ତ ସର୍ବସାଧାରଣ ଓ ଗୋଷ୍ଠି ପାଇଖାନା ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପ୍ରମାଣପତ୍ର ପାଇବାକୁ ଯାଉଛନ୍ତି । ରାଜ୍ୟର ସହରାଞ୍ଚଳ ଗୁଡିକରେ ବର୍ଜବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧୪ ଟି ପୌରାଞ୍ଚଳରେ ଏହି ଧରଣର ୨୪୨ ଟି ପ୍ଲାଣ୍ଟ ସହିତ ମ୍ୟାଟରିଆଲ ରିକଭରୀ ପ୍ଲାଣ୍ଟ ପ୍ରତିଷ୍ଠାଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଦୈନନ୍ଦିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠିର ୨୫୦୦ ମହିଳାଙ୍କୁ ସ୍ୱଚ୍ଛସାଥୀ ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି । ସହରାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୪ହଜାରରୁ ଅଧିକ ସଫେଇୱାଲାଙ୍କୁ ସାମିଲ କରାଯାଇଛି । ସଫେଇୱାଲାଙ୍କୁ ଦୁଇ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇ ସାରିଥିବାବେଳେ ୨୦୨୦ ସ୍ୱଚ୍ଛ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ଲାଗି ପ୍ରୟାସ ଜାରି ରହିଛି ।