ଭୁବନେଶ୍ୱର: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ସମସ୍ତ ସହରାଚଂଳ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଛତ୍ରପୁର ଠାରେ ଏ ନେଇ ୩ ଗୋଟି ଜିଲ୍ଲାର ପୌରାଚଂଳମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ସଂମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି, ଗଞ୍ଜାମ , କନ୍ଧମାଳ ଓ ନୟାଗଡ ଜିଲ୍ଲା । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ସହରାଚଂଳ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି ।
ଏତଦ୍ବ୍ୟତିତ ଜାଗା ମିଶନ , ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରଗୁଡିକୁ କାର୍ଯ୍ୟକ୍ଷମ କରାଯିବା , ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା , ସ୍ୱଚ୍ଛ ପାନୀୟଜଳ ଯୋଗାଣ , ସ୍ମାର୍ଟଷ୍ଟ୍ରିଟ୍ ଲାଇଟ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ପୌରପରିଷଦ ଗୁଡିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ ସାଙ୍ଗକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକୁ ତ୍ୱରାନ୍ନିତ କରିବା ଆବଶ୍ୟକ । ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ସହିତ ପ୍ରଦାନ କରାଯାଇଥିବା ଅର୍ଥ ବିନିଯୋଗ ପୂର୍ବକ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିମଳ ବ୍ୟବସ୍ଥା ଓ ଜମି ମାଲିକାନା ପ୍ରମାଣପତ୍ର ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଛତ୍ରପୁରଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀ ମାଥି ଭାଥନନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ , ବିଭାଗୀୟ ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଉପଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା, ସଂପୃକ୍ତ ୩ ଗୋଟି ଜିଲ୍ଲାର ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ , କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୌରପରିଷଦଗୁଡିକର ପଦାଧିକାରୀମାନେ ଯୋଗ ଦେଇଥିଲେ ।