ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ୯୦% ଅର୍ଥ ଖର୍ଚ୍ଚ ନିର୍ଦ୍ଦେଶ, ‘ଆମ କ୍ଲିନିକ’ରେ ବିଶେଷଜ୍ଞ ଡାକ୍ତର ବ୍ୟବସ୍ଥା

ଭୁବନେଶ୍ୱର: ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍‍ (ଏନ୍‍ୟୁଏଚ୍‍ଏମ୍‍)ରେ ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ମିଶନ୍‍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁସବୁ ଜିଲ୍ଲାରେ ଏହି ଯୋଜନାରେ କମ୍‍ ଅର୍ଥ ଖର୍ଚ୍ଚ ହୋଇଛି ତୁରନ୍ତ ଯୋଜନା ପ୍ରସ୍ତୁତ କରି ବିନିଯୋଗ ବୃଦ୍ଧି ଲାଗି ସେ ପରାମର୍ଶ ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରାଜ୍ୟରେ ହାରାହାରି ୧୯ ପ୍ରତିଶତ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ ହୋଇଛି । ଢେଙ୍କାନାଳ ଜିଲ୍ଲା ସର୍ବାଗ୍ରେ ଥିବା ବେଳେ କେନ୍ଦ୍ରାପଡ଼ା ସବୁଠାରୁ ପଛରେ ଅଛି । ଶନିବାର ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍‍ର ସମୀକ୍ଷା ବୈଠକରେ ଯୋଗଦେଇ ମିଶନ୍‍ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ସହରାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନା ଜରିଆରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏହର ସୁଫଳ ଯେପରି ପ୍ରତ୍ୟେକ ବ୍ୟକ୍ତି ପାଇପାରିବେ ସେଥିପାଇଁ ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ହେବ । ସେ କହିଥିଲେ ଯେ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍‍ସି)ଗୁଡ଼ିକ କାୟାକଳ୍ପ ପୁରସ୍କାର ପାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ୍‍ । ଏଥିନିମନ୍ତେ ପ୍ରସ୍ତୁତ ହେବା ଆବଶ୍ୟକ । ମିଶନ୍‍ ନିର୍ଦ୍ଦେଶିକା କହିଥିଲେ ଯେ ଅନ୍ତତଃପକ୍ଷେ ୨୦ ପ୍ରତିଶତ ସହରାଞ୍ଚଳ ପିଏଚ୍‍ସି ଏନ୍‍କ୍ୟୁଏଏସ୍‍ ବା ଲକ୍ଷ୍ୟ ପ୍ରମାଣିକତା ହାସଲ କରିବାର ଆବଶ୍ୟକତା ରହିଛି । ସେହିଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ସ୍ୱାସ୍ଥ୍ୟ ଏବଂ ୱେଲନେସ୍‍ କେନ୍ଦ୍ର ଭାବେ କାମ କରିବା ଉଚିତ୍‍ । ପ୍ରତ୍ୟେକ ସହରରେ ପରିମଳ ବା ସଫେଇ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରିବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଏମ୍‍ସିଏଚ୍‍ରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ‘ଆମ କ୍ଲିନିକ’କୁ ନେଇ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରତ୍ୟେକ ଜିଲ୍ଲା ଓ ସହରରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିନସ୍ଥ କିଛି ଅଭିନବ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେବା ସହିତ ସନ୍ଧ୍ୟା ସମୟରେ ଓପିଡ଼ି ବୃଦ୍ଧି କରିବାକୁ ଗୁରୁତ୍ୱ ଦେଇଥିଲେ । ସେହିଭଳି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଯଥାଶୀଘ୍ର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ଔଷଧ ବିତରଣ କେନ୍ଦ୍ର ଏବଂ ପରିବାର ନିୟୋଜନ ପ୍ରକୋଷ୍ଠ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ର ଅତିରିକ୍ତ ନିର୍ଦ୍ଦେଶକ ମୃଣାଳକାନ୍ତି ଦାସ, ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ସୁକାନ୍ତ ମିଶ୍ର ଏବଂ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ) ଓ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକମାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଉଲ୍ଲେଖଥାଉକି, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍‍ ଜରିଆରେ ୫୦ ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ୫ଟି ମହାନଗର ନିଗମ ସମେତ ୩୬ଟି ପୌରାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରାଯାଇଛି ।