ପାଣ୍ଠିର ସର୍ବୋତ୍ତମ ବିନିଯୋଗ ଓସର୍ବାଧିକ  ଫଳାଫଳ ହାସଲ  କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ନିଜ ରାଜସ୍ୱ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଂଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳମାନଙ୍କୁ ୨୩,୮୪୮ କୋଟି ଟଙ୍କା  ହସ୍ତାନ୍ତର ନିମନ୍ତେ  ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ  ଉଚ୍ଚସ୍ତରୀୟ  ପରିଚାଳନା କମିଟି  ବୈଠକରେ ଏହା ଚୁଡାନ୍ତ ହୋଇଛି ।

urban area news

ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ଅଶୋକ ମୀନାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା  ପାଣ୍ଠି ହସ୍ତାନ୍ତର ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଆଲୋଚନା ହାଇଥିଲା । ପାଣ୍ଠି ବିନିଯୋଗ ତ୍ଵରାନ୍ୱିତ କରିବା ସହ  ଏହାର ସର୍ବାଧିକ  ଉନ୍ନୟନମୂଳକ  ଫଳାଫଳ ହାସଲ  କରିବାକୁ  ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ପଂଚାୟତ ଓ ସହରାଞ୍ଚଳମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ସୃ​ଷ୍ଟି ସମ୍ଭାବନା ଥିବା କମ୍ୟୁନିଟି ଆବଶ୍ୟକତା ଭିତ୍ତିକ  ପ୍ରକଳ୍ପମାନ ହାତକୁ ନେବା ପାଇଁ ଉନ୍ନୟନ କମିଶନର  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ ।  ନିଜ ନିଜର ରାଜସ୍ୱ ଆଧାର ସଂପ୍ରସାରିତ  କରିବାସହ  ବାର୍ଷିକ ଅନ୍ୟୁନ୍ୟ ୬ ପ୍ରତିଶତ ରାଜସ୍ୱ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏହି ପାଣ୍ଠିକୁ ୨୦୨୦-୨୧ ରୁ ୨୦୨୫-୨୬ ଆର୍ଥିକ  ବର୍ଷ ମଧ୍ୟରେ ହସ୍ତାନ୍ତର  କରିବା ନିଷ୍ପତ୍ତି ହୋଇଥିଲା । ଗୋଟିଏ ଆର୍ଥିକ  ବର୍ଷ ପାଇଁ ଉଦ୍ଦିଷ୍ଟ ପାଣ୍ଠି ୨ ଟି କିସ୍ତିରେ  ପ୍ରଦାନ କରାଯିବ  ୧ମ କିସ୍ତି ମେ-ଜୁନ୍ ମାସ  ମଧ୍ୟରେ  ଏବଂ ୨ୟ କିସ୍ତି ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ  ହସ୍ତାନ୍ତର  କରାଯିବ । ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା  ପ୍ରକଳ୍ପର ଶତକଡା ୩୦ ଭାଗ  ନ ସାରିଲେ  ୨ୟ କିସ୍ତି ମିଳିବ ନାହିଁ ।

ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ମୀନା କହିଥିଲେ ଯେ  ଏହି ୬ ବର୍ଷ ମଧ୍ୟରେ ପଂଚାୟତିରାଜ ଅନୁଷ୍ଠାନମାନେ ପ୍ରାୟ ୧୫,୭୧୫.୬୦ କୋଟି ଏବଂ ସହରାଞ୍ଚଳମାନେ ପ୍ରାୟ ୮,୧୩୨.୫୨ କୋଟି ଟଙ୍କା ପାଇବେ । ପାନୀୟଜଳ, ଜଳ ଅମଳ, ପରିମଳ, କଠିନ ବର୍ଜବସ୍ତୁ ପରିଚାଳନା, ସୌର ଶକ୍ତି, ପ୍ରାଥମିକ ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ସବ୍-ସେଣ୍ଟର କେନ୍ଦ୍ରର ରକ୍ଷଣାବେକ୍ଷଣ, ଜଳର ଗୁଣାତ୍ମକମାନ ପରୀକ୍ଷାଗାର, ନର୍ଦ୍ଦମା ନିଷ୍କାସନ ରେ ଥିବା ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା, ବର୍ଷାଜଳ ନିଷ୍କାସନ ଏବଂ ଅନ୍ୟାନ୍ୟ କମ୍ୟୁନିଟି ସଂପତ୍ତି ଆଦିର ରକ୍ଷଣାବେକ୍ଷଣ  ଆଦି ପ୍ରକଳ୍ପରେ ଏହି ପାଣ୍ଠି ବିନିଯୋଗ କରିବା ପାଇଁ  ବୈଠକରେ ସ୍ଥିର ହୋଇଥିଲା । ଯେଉଁ କମ୍ୟୁନିଟି  ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ  ସ୍ୱତନ୍ତ୍ର  ପାଣ୍ଠିର ବ୍ୟବସ୍ଥା କରାଯାଇନାହିଁ କେବଳ ସେଗୁଡିକୁହିଁ ଏହି ପାଣ୍ଠି ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ଅଶୋକ ମୀନା, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ  ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ଜିତ୍ ନାୟକ ପ୍ରମୁଖ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ  ଏଲୋରା ମହାନ୍ତି ଆବଶ୍ୟକୀୟ  ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ ।