କମଳେଶ ତିୱାରୀଙ୍କ ହତ୍ୟା ମାମଲା: ଫାଶୀ ଦାବି କଲେ ମା’ କୁସୁମ ତିୱାରୀ

ଲଖନଉ: ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ବହୁଚର୍ଚ୍ଚିତ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ମାମଲାରେ ଗୁଜୁରାଟ ଏଟିଏସ ମଙ୍ଗଳବାର ସନ୍ଧ୍ୟାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଅଶଫାକ ପଠାଣ ଓ ମୋଇନୁଦ୍ଦିନ ପଠାନ ଗିରଫ ହେବା ପରେ କମଳେଶ ତିୱାରୀଙ୍କ ମା’ କୁସୁମ ତିୱିାରୀ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ଆଜି ଖୁସି ଅନୁଭବ କରୁଛୁ । ଗିରଫ ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯିବା ଦରକାର । ମୁଁ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଖୁସି ବୋଲି କୁସୁମ କହିଛନ୍ତି । 

ଡିଆଇଜି (ଏଟିଏସ, ଗୁଜୁରାଟ) ହିମାଂଶୁ ଶୁକ୍ଲାଙ୍କ ନିର୍ଦ୍ଦେଶରେ ଏସପି ବିପି ରୋଜିୟା, ଏସିପି ବିଏସ ଚାୱଡା ଓ ଅନ୍ୟ ଅଧିକାରୀମାନେ କମଳେଶ ତିୱାରୀ ହତ୍ୟା ମାମଲାରେ କୁଖ୍ୟାତ ଅପରାଧୀ ଅଶଫାକ (୩୪) ଓ ମୋଇନୁଦ୍ଦିନଙ୍କୁ ଗିରଫ କରିଛନ୍ତି । ଅଶଫାକ ସୁରଟର ଲିମ୍ବାୟତସ୍ଥିତ ଗ୍ରୀନ ଭ୍ୟୁ ଆପାର୍ଟମେଣ୍ଟରେ ରହିଥାଏ । ମୋଇନୁଦ୍ଦିନ ଖୁର୍ସିଦ ପଠାନ ସୁରଟସ୍ଥିତ ଉମାରୱାଡାସ୍ଥିତ ଲୋ କଷ୍ଟ କଲୋନୀ ନିବାସୀ ଅଟେ । ସୂଚନାଯୋଗ୍ୟ ଅଶଫାକ ପେଶାରେ ଜଣେ ମେଡିକାଲ ରିପ୍ରେଜେଣ୍ଟିଟଭ ଏବଂ ମୋଇନୁଦ୍ଦିନ ଖାଦ୍ୟ ଡେଲିଭରି କରୁଥିବା ବାଳକ ଅଟେ । 

ଗୁଜୁରାଟ ଏଟିଏସ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୮ରେ ଲଖନଉରେ ହୋଇଥିବା କମଳେଶ ତିୱାରୀ ହତ୍ୟାକାଣ୍ଡରେ ଉଭୟଙ୍କ ନାଁ ସାମ୍ନାକୁ ଆସିଥିଲା । ପ୍ରାଥମିକ ତଦନ୍ତ ବେଳେ ଅଭିଯକ୍ତମାନେ ନିଜର ଭୁଲ ସ୍ୱୀକାର କରିଛନ୍ତି । ସେମାନେ କହିଛନ୍ତି, କମଳେଶ ତିୱାରୀ ଉତ୍ତେଜିତ ଭାଷଣ ଦେଇଥିଲେ । ଏଥି ପାଇଁ ସେମାନେ କମଳେଶଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।