କାଉଁଡିଆ ଯାତ୍ରା ମାର୍ଗରେ ନିଷିଦ୍ଧ ହେବ କଂସାଇଖାନା ଓ ମଦଦୋକାନ

ଲକ୍ଷେ୍ନø: ପବିତ୍ର ଶ୍ରାବଣ ମାସ ଅବସରରେ ଉତ୍ତରପ୍ରଦେଶରେ ହେବାକୁଥିବା କାଉଁଡିଆ ଯାତ୍ରା ପାଇଁ ସରକାର ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ସରକାର ଏଥର କାଉଁଡିଆ ଯାତ୍ରାକୁ ଭବ୍ୟ ଆୟୋଜନ କରିବାକୁ ଚିନ୍ତା କରୁଛନ୍ତି । ଏହି କ୍ରମରେ ଯେଉଁ ରାସ୍ତାଦେଇ କାଉଁଡିଆମାନେ ଯିବେ, ସେହିରାସ୍ତାରେ କଂସାଇଖାନ ଓ ମଦବିକ୍ରି ବନ୍ଦ କରିବେ । ସେହିପରି ଖରାପ ସଡକ ଗୁଡ଼ିକ ଶୀଘ୍ର ମରାମତି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ ବ୍ୟତୀତ କାଉଁଡିଆଙ୍କ ସେବା ପାଇଁ ଅନ୍ୟ ଆବଶ୍ୟକ ଜିନିଷ ଗୁଡ଼ିକୁ ଠିକ ସମୟରେ ଉପଲବ୍ଧ କରାଯାଉ ବୋଲି ସରକାର ଆଦେଶ ଦେଇଛନ୍ତି ।

ଯୋଗୀ ସରକାରଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି, ଯାତ୍ରା ପୂର୍ବରୁ ଖରାପ ସଡ଼କ ଗୁଡ଼ିକ ମରାମତି କରାଯିବ । କାଉଁଡିଆ ଯାତ୍ରା କରୁଥିବା ରାସ୍ତା ସଫାକରାଯିବ । ଏବଂ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରୁ ପୁଷ୍ପବୃଷ୍ଟି କରାଯିବ । ଯୋଗୀ ସରକାର ଡିଜେ ଉପରେ ପ୍ରତିବନ୍ଧକ ଲଗାଇ ନାହାନ୍ତି ମାତ୍ର କେବଳ ଭଜନ ଶବ୍ଦ ଶୁଣାଯିବା ଦରକାର । ଫିଲ୍ମ ଗୀତକୁ ଅନୁମତି ମିଳି ନାହିଁ ।

ପାଣ୍ଡେ କହିଛନ୍ତି, କାଉଁଡିଆ ଯାତ୍ରା ପାଇଁ ୮ ହଜାର ଯବାନ ମୁତୟନ ହେବେ । କାଉଁଡିଆ ଯାତ୍ରାର ୫ କିଲୋମିଟର ଦୂର ମଧ୍ୟରେ ୟୁପି-୧୦୦ ପିସିଆର ଉପସ୍ଥିତ ରହିବ । ସେ କହିଛନ୍ତି, କାଉଁଡିଆ ଯାତ୍ରା ସମୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପୋଲିସ କଣ୍ଟ୍ରୋଲ ରୁମକୁ ଉତ୍ତର ପ୍ରଦେଶର କଣ୍ଟ୍ରୋଲ ରୁମ ସହିତ ଯୋଡ଼ାଯିବ । ଏହା ଦ୍ୱାରା ସମସ୍ତ ରାଜ୍ୟର ପୋଲିସ ମାନଙ୍କ ମଧ୍ୟରେ ସମନ୍ୱୟ ରହିବ । ଏହା ବ୍ୟତୀତ ଉତ୍ତରାଖଣ୍ଡ ସରକାରଙ୍କ ସହିତ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି । ସରକାର ଶିବ ଭକ୍ତଙ୍କ ପାଇଁ ରାଜ୍ୟସ୍ତରୀୟ କାଉଁଡିଆ ଯାତ୍ରା ମ୍ୟାନେଜମେଣ୍ଟ ଆପ ପ୍ରସ୍ତୁତ କରିଛନ୍ତି । ଏହି ଆପରେ ଶିବଭକ୍ତଙ୍କ ପାଇଁ ଶିବିର, ଆମ୍ବୁଲାନ୍ସ, ପୋଲିସ ଥାନା ଆଦି ସୂଚନା ରହିବ । ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଆପକୁ ପରିଚାଳନା କରିବେ ।