ଆତଙ୍କବାଦୀ ସଂଗଠନ ସଂପୃକ୍ତି ଥିବା ସନ୍ଦେହରେ ଓଡ଼ିଶାର ୫ ଛାତ୍ରଙ୍କୁ ଅଟକ ରଖି ଜେରା

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଥିବା ସନ୍ଦେହରେ ଓଡ଼ିଶାର ୫ ଜଣ ଛାତ୍ରଙ୍କୁ ଅଟକ ରଖି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍‌) ଆଜି ଜେରା ଚଳାଇଥିବା ସୂଚନା ମିଳବା ପରେ ଏ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ, ଓଡ଼ିଶାର ଏହି ୫ ଜଣ ଛାତ୍ର କେଉଁ ଅଞ୍ଚଳର ଓ ସେମାନଙ୍କୁ ଉତ୍ତରପ୍ରଦେଶ ଏଟିଏସ୍‌ କେଉଁଠାରୁ ଧରିଲା ସେ ସଂପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ, ପ୍ରାଥମିକ ସ୍ତରରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତକାଲି ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ଜୈସ-ଇ-ମହମ୍ମଦ (ଜେଇଏମ୍‌)ର ୨ ଆତଙ୍କବାଦୀଙ୍କ ସୂଚନାକୁ ଆଧାର କରି ଉତ୍ତରପ୍ରଦେଶ ଏଟିଏସ୍‌ ଓଡ଼ିଶାର ଏହି ୫ ଜଣ ଛାତ୍ରଙ୍କୁ ଅଟକ ରଖି ଜେରା କରୁଛି। ଉଲ୍ଲେଖଯୋଗ୍ୟ, ଗତକାଲି ଉତ୍ତରପ୍ରଦେଶ ଏଟିଏସ୍‌ ଶାହାରନପୁର ଅଞ୍ଚଳରେ ଲୁଚି ରହିଥିବା ୨ ଜଣ ଜେଇଏମ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏଟିଏସ୍‌ ହାତରେ ଗିରଫ ହୋଇଥିବା ୨ ଆତଙ୍କବାଦୀ ଥିଲେ ଆକିବ୍‌ ଅହମ୍ମଦ ମଲିକ୍‌ ଓ ଶାହନୱାଜ୍‌ ତେଲି। ଉଭୟେ କଶ୍ମୀର କୁଲଗାମ୍‌ ଇଲାକାର ହୋଇଥିବା ବେଳେ ଆତଙ୍କବାଦୀ ହାମ୍‌ଲା କରିବାକୁ ୟୁପିରେ ଆତ୍ମଗୋପନ କରିରହିଥିଲେ। ଏହି ଦୁଇ ଆତଙ୍କବାଦୀଙ୍କ ନିକଟରୁ ଏଟିଏସ୍‌ ବହୁ ପରିମାଣର ଜିହାଦୀ ପୁସ୍ତକ ଓ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ସେମାନଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ଫୋନ୍‌ କଲ୍‌ ଡିଟେସ୍‌କୁ ଯାଞ୍ଚ କରାଯାଇ ସେମାନଙ୍କର ଜୈସ-ଇ- ମହମ୍ମଦ ସଙ୍ଗଠନ ସହ ସଂପୃକ୍ତି ଥିବାର ପ୍ରମାଣ ମିଳିଥିଲା। ପରେ ଗିରଫ ଆତଙ୍କବାଦୀଙ୍କୁ ଅଧିକ ପଚରାଉଚରା ଚଳାଇ ୟୁପି ଏଟିଏସ୍‌ ସେମାନଙ୍କ ଠାରୁ ତଥ୍ୟ ଆଦାୟ କରିବା ପରେ ଏହି ୫ ଜଣ ଓଡ଼ିଆ ଛାତ୍ରଙ୍କୁ ଏବେ ଅଟକ ରଖି ପଚରା ଉଚରା କରୁଛି। ଏଟିଏସ୍‌ କେଉଁ ଅଭିଯୋଗ ଆଧାରରେ ସେମାନଙ୍କୁ ପଚାରା ଉଚରା କରୁଛି, ଏ ନେଇ ଅଧିକ ସୂଚନା ମିଳି ପାରିନାହିଁ।