ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶୁକ୍ରବାର ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଡାକ୍ତରୀଟିମ ବହୁ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଂଚାଇ ପାରି ନାହାନ୍ତି । ଯୁବତୀଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲଖନଉସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା । ଡାକ୍ତର କହିଛନ୍ତି ଯେ, ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ଜଳି ଯାଇଥିଲା ।

ସଫଦରଗଂଜ ହସ୍ପିଟାଲର ଅସ୍ଥି ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଶଲଭ କୁମାର କହିଛନ୍ତି, ଆମେ ପୀଡ଼ିତାଙ୍କୁ ବଂଚାଇବା ପାଇଁ ବହୁ ପରଶ୍ରମ କରିଥିଲୁ । ମାତ୍ର ଦୁଃଖର କଥା ଯେ, ତାଙ୍କୁ ବଂଚାଇ ପାରିଲୁ ନାହିଁ । ସନ୍ଧ୍ୟା ହେବା ମାତେ ତାଙ୍କର ଅବସ୍ଥା ଅଧିକ ଗୁରୁୁତର ହେବାକୁ ଲାଗିଲା । ରାତି ୧୧ଟା ୪୦ରେ ତାଙ୍କର ହୃଦସ୍ପନନ୍ଦ ହଠାତ ବନ୍ଦ ହୋଇଯାଇଥିଲା । ପୀଡ଼ିତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଉନ୍ନାଓର ବିହାର ଥାନା ଅନ୍ତର୍ଗତ ପୀଡ଼ିତା (୨୦ ବର୍ଷ)କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ । ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୀଡ଼ିତା ଥାନାରେ ଅଭିଯୋଗ କରି କହିଥିଲେ ଯେ, ଶିବମ ତ୍ରିବେଦୀ ନାଁରେ ଜଣେ ବ୍ୟକ୍ତିତାଙ୍କୁ ପ୍ରେମ ଜାଳରେ ଫସାଇ ରାୟବରେଲି ନେଇ ଯାଇଥିଲା । ସେଠାରେ ଦୁଷ୍କର୍ମ କରିଥିବା ବେଳେ ଘଟଣାର ଭିଡିଓ ମୋବାଇଲରେ ରେକଡିଂ କରିଥିଲା । ଯୁବତୀ କହିଥିଲେ ଯେ, ଶିବମ ତାଙ୍କୁ ଅନେକ ସହର ନେଇ ଯାଇ ଦୁଷ୍କର୍ମ କରିଥିଲା । ପୀଡ଼ିତା ଯେତେବେଳେ ବିବାହ ପାଇଁ ଦାବି କଲା, ଶିବମ ଏଥିରେ ରାଜି ହୋଇ ନ ଥିଲା । ଯୁବତୀଙ୍କୁ ଜଳାଇଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦୁଷ୍କର୍ମ କରିଥିଲେ । ମାତ୍ର ସେମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ ।