ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ବୋଲି ମଙ୍ଗଳବାର ହସ୍ପିଟାଲ୍ ସୂତ୍ରରୁ ସୂଚନା ମିଳିଛି। ତାଙ୍କୁ ଜୀବନ ରକ୍ଷା ସହାୟକ ବ୍ୟବସ୍ଥା(ଲାଇଫ୍ ସପୋର୍ଟ ସିଷ୍ଟମ୍)ରେ ରଖାଯାଇଛି। ସେହିପରି ଗୁରୁତର ଭାବେ ଆହତ ହୋଇଥିବା ପୀଡ଼ିତାଙ୍କ ଓକିଲ ମଧ୍ୟ ମଙ୍ଗଳବାର ଟ୍ରମା ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜାଣିବାକୁ ମିଳିଛି।
ଦିଲ୍ଳୀ ଟ୍ରାଫିକ୍ ପୁଲିସ୍ ସୋମବାର ଗ୍ରିନ୍ କରିଡର୍ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୀଡ଼ିତାଙ୍କୁ ଟ୍ରମା ସେଣ୍ଟରକୁ ନେଇଥିଲା। ତାଙ୍କୁ ୧୪ କିଲୋମିଟର ବାଟ ପାର୍ କରିବାକୁ ପୂରା ୧୮ ମିନିଟ୍ ସମୟ ଲାଗିଥିଲା। ପୀଡ଼ିତା ସେଠାରେ ଗୁରୁତର ଅଛନ୍ତି ଓ ତାଙ୍କର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକତ୍ସା କରୁଛନ୍ତି। ଏହି ଦୁଷ୍କର୍ମ ପୀଡ଼ିତା ଗତ ସପ୍ତାହରେ ଏକ କାର୍-ଟ୍ରକ୍ ମୁହାଁମୁହିଁ ଦୁର୍ଘଟଣାର ସାମ୍ନା କରିବା ପରେ ସୋମବାର ଦିନ ତାଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀ ନିଆଯାଇଥିଲା। ଏହି ଦୁର୍ଘଟଣାରେ ପୀଡ଼ିତାଙ୍କର ଦୁଇ ସଂପର୍କୀୟ ପ୍ରାଣ ହରାଇଥିବା ସୂଚନା ରହିଛି।
ତେବେ, ଏହାର ତଦନ୍ତ ଭାର ହାତକୁ ନେଇଥିବା ସିବିଆଇ ଇତି ମଧ୍ୟରେ ୧୦ ଜଣଙ୍କୁ ଗିରଫ କରି ସାରିଲାଣି। ଏହି ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଜଣେ ବିଧାୟକ ବି ସାମିଲ୍ ଅଛନ୍ତି।