ସୁପ୍ରିମ୍‌କୋର୍ଟରେ ଉନ୍ନାଓ ଦୁଷ୍କର୍ମ ମାମଲା: ମଧ୍ୟାହ୍ନ ସୁଦ୍ଧା ସିବିଆଇ ଠାରୁ ଷ୍ଟାଟସ୍‌ ରିପୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲା ଏବଂ ପୀଡ଼ିତା ସମ୍ମୁଖୀନ ହୋଇଥିବା ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନଙ୍କୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ହାଜର ହେବାକୁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ଚାମ୍ବର ମଧ୍ୟରେ ମାମଲା ସଂକ୍ରାନ୍ତରେ କହିପାରିବା ଏବଂ ସ୍ପର୍ଶକାତର ସୂଚନା ଦେଇପାରିବା ଭଳି ଜଣେ ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଶୀର୍ଷ ଅଦାଲତ ଚାହାଁନ୍ତି।

ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଶୀର୍ଷ ଅଦାଲତଙ୍କୁ କହିଛନ୍ତି ଯେ ଉନ୍ନାଓ ମାମଲାର ସବୁ ତଦନ୍ତକାରୀ ଅଧିକାରୀ ଲକ୍ଷ୍ନୌରେ ଅଛନ୍ତି।କିନ୍ତୁ ଅଦାଲତ ନିଜ ଆଦେଶ ଫେରାଇ ନେବାକୁ ଅଗ୍ରାହ୍ୟ କରି ଓଲଟି ସଲିସିଟର୍‌ ଜେନେରାଲ୍‌ଙ୍କୁ କହିଲେ କି, ଫୋନ୍‌ ଯୋଗେ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ମଧ୍ୟାହ୍ନ ସୁଦ୍ଧା ଅଦାଲତଙ୍କୁ ଅବଗତ କରାନ୍ତୁ। ଭାରତର ପ୍ରଧାନ ବିଚାପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆହୁରି ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ବିଧାୟକ କୁଳଦୀପ ସେଗ୍‌ନାର୍‌ଙ୍କ ସହ ସମ୍ବନ୍ଧିତ ୪ଟିଯାକ ମାମଲା ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର ହୋଇପାରେ।