ମାଦ୍ରିଦ: ଭାରତର ୮ବର୍ଷର ଝିଅ ଲିସିପ୍ରିୟା ଜାତିସଂଘର ମୁଖ୍ୟଙ୍କ ମନ ଜିଣିଛନ୍ତି । ମଦ୍ରିଦଠାରେ ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ଜଳବାୟୁ ପରିବର୍ତନ ସମ୍ମିଳନୀ ସିଓପି-୨୫ ଶୁକ୍ରବାର ଶେଷ ହୋଇଛି । ଏହି ସମ୍ମିଳନୀରେ ଲିସିପ୍ରିୟା ମଧ୍ୟ ଯୋଗ ଦେଇଥିଲେ । ଜଳବାୟୁ ପରିବର୍ତନ ସଂକ୍ରାନ୍ତରେ ଲିସିପ୍ରିୟାଙ୍କ କାର୍ଯ୍ୟକୁ ଜାତିସଂଘର ମୁଖ୍ୟ ଆଂଟୋନିଓ ଗେଟର୍ସ ପ୍ରଶଂସା କରିଥିଲେ ।
ଗୁରୁବାର ଲିସିପ୍ରିୟା ଜାତିସଂଘ ମୁଖ୍ୟ ଆଂଟୋନିଓଙ୍କୁ ଭେଟିଥିଲେ ଏବଂ ବିଶ୍ୱର ଶିଶୁଙ୍କ ତରଫରୁ ସେ ଜାତିସଂଘ ମୁଖ୍ୟଙ୍କୁ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଲିସିପ୍ରିୟାଙ୍କ ଦ୍ୱାରା ଦାଖଲ ହୋଇଥିବା ୪ ପୃଷ୍ଠାର ସ୍ମାରକପତ୍ରରେ ସମସ୍ତଙ୍କ ପାଇଁ ଏକ ଉତ୍ତମ ବିଶ୍ୱ ସୃଷ୍ଟି ନିମନ୍ତେ ଜଳବାୟୁ ପରିବର୍ତ୍ତନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି। ଆଂଟୋନିଓ ଲିସିପ୍ରିୟାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ଲିସିପ୍ରିୟା ଜଣେ ମାର୍ଗଦର୍ଶକ। ଭବିଷ୍ୟତ ପିଢ଼ିପାଇଁ ବିଶ୍ୱର ଦାୟିତ୍ୱ ରହିଛି ଏବଂ ଲିସିପ୍ରିୟା ଏକଥା ଆମକୁ ମନେ ପକାଇ ଦେଇଛନ୍ତି ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି।
ମଣିପୁରର ଏହି ଯୁବ ଜଳବାୟୁ ସାମାଜିକ କର୍ମୀ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଥିଲେ। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ୨୧ଟି ଦେଶରେ ଭାଷଣ ରଖିଥିବା ଲିସିପ୍ରିୟା ସିଓପି୨୫ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱ ନେତାମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁରୋଧ କରିଥିଲେ। ସ୍ପେନ୍ର ଖବରକାଗଜରେ ତାଙ୍କୁ ‘ ଗ୍ରେଟା’ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଭାବେ ଦର୍ଶାଯାଇଛି।