ଜାତିସଂଘର ସହାୟତା ଲୋଡିଲା ପାକିସ୍ତାନ

ନ୍ୟୁୟର୍କ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ତିକ୍ତ ହୋଇଯାଇଛି । ଏହି ଘଟଣା ପରେ ଭାରତ ପାକିସ୍ତାନକୁ କଡା ଯବାବ ଦେବାରେ ଲାଗିଛି । ତେବେ ଏହି ଘଟଣାର ପ୍ରତିଶୋଧରେ ଥିବା ଭାରତ କେଉଁ ମୁହୁର୍ତରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ । ତେବେ ଏ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ପ୍ରେସ୍ମିଟ୍ ଡାକି ଆକ୍ରମଣ ପଛରେ ଦେଶର କୌଣସି ହାତ ନ ଥିବା କହିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘର ସହାୟତା ଲୋଡିଥିବା ଖବର ମିଳିଛି । ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶର କୂଟନୈତିକ ସଂପର୍କ ତିକ୍ତ ହେବା ସହ ଉଭୟ ଦେଶ ସେମାନଙ୍କ କୂଟନୈତିକ ଅଧିକାରୀମାନଙ୍କୁ ନିଜ ନିଜ ଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଭାରତର ଆଭିମୁଖ୍ୟ ଦେଖି ଭୟଭୀତ ହୋଇ ପଡ଼ିଥିବା ପାକିସ୍ତାନ ଆଜି ତା’ର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀଙ୍କ ହାତରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେର୍ସଙ୍କ ନିକଟକୁ ଏକ ପତ୍ର ଲେଖି ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ପ୍ରଶମନ କରିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଭାରତ ଆଡ଼ୁ ଆମ ପ୍ରତି ଘୋର ବିପଦ ରହିଥିବାରୁ ଆପଣ କାଳ ବିଳମ୍ବ ନକରି ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେର୍ସଙ୍କୁ ଅନୁରୋଧ କରିଛନ୍ତି, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ।