ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଆବଶ୍ୟକ ରହିଛି । ତେବେ ଏହି ସାମାଜିକ ଦୂରତ୍ୱକୁ ରୋକିବା ପାଇଁ ଗତକାଲି ୟୁନିଟ୍ -୧ ହାଟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ପୁଣିଥରେ ଯୁନିଟ୍-୧ ହାଟକୁ ସ୍ଥାନାନ୍ତର କରାଯାଇଛି । ଏହି ହାଟକୁ ସ୍ଥାନାନ୍ତର କରାଯାଇ ୟୁନିଟ୍-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯାଇଛି । ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଗତକାଲି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଫଳରେ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଥିଲା। ଏଥିସହ ଦୋକାନୀଙ୍କୁ ଗାଇଡଲାଇନ୍ ଅନୁସାରେ ଦୂରତ୍ୱ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ନିୟମକୁ ଉଲ୍ଲଂଘନ କରାଯିବାରୁ ପୋଲିସ ପୁଣି ଥରେ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟକୁ ସ୍ଥାନାନ୍ତର କରିଛି।
ସେହିଭଳି କଟକର ଛତ୍ରବଜାର ପରିବା ମାର୍କେଟକୁ ବାଦାମବାଡ଼ିକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାରରେ ଭିଡ଼ ବଢ଼ିବା ସହ ଲୋକେ ନିର୍ଦ୍ଧାରିତ ଦୂରତା ରକ୍ଷା ନ କରିବାରୁ ଏହାକୁ ବାଦାମବାଡ଼ିକୁ ଘୁଚାଯାଇଛି।